ହଲଚଲ ହେଉଛି ଶବ
ମୃତ୍ୟୁ ପରେ ମଣିଷ ଶରୀର ପାଖାପାଖି ବର୍ଷେ ଯାଏଁ ହଲଚଲ ହୁଏ ଅର୍ଥାତ ତା’ ମୂଳ ଅବସ୍ଥାରେ କିଛି ଏପାଖସେପାଖ ହୁଏ ବୋଲି ଜାଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ଏହା ସତ । ଅଷ୍ଟ୍ରେଲିଆର ବୈଜ୍ଞାନିକ ଏଲିଶନ ୱିଲ୍ସନ୍ ଗବେଷଣା କରି ଏହା ଜାଣିପାରିଛନ୍ତି । ସେ ୧୭ ମାସ ଯାଏଁ ଶବ ଉପରେ ନଜର ରଖି ଏବଂ ତା’ର ପ୍ରତ୍ୟେକ ମୁଭମେଣ୍ଟର ଫଟୋ ସଂଗ୍ରହ କରୁଥିଲେ । ଏଲିଶନ କହନ୍ତି, ମୃତ୍ୟୁ ପରେ ବି ମଣିଷ ଶରୀରର କିଛିି ମୁଭ୍ମେଣ୍ଟ ହୋଇଥାଏ । ଏହି କାରଣରୁ ଅନେକ ସମୟରେ ଶବ ବଞ୍ଚିଥିବା ଭଳି ମନେହୁଏ । ଏଲିଶନଙ୍କ ଅନୁସାରେ ଗବେଷଣା ଆରମ୍ଭରୁ ଶବ ହାତ ଓ ଶରୀରକୁ ଚାପି ରଖାଯାଇଥିଲା । ସମୟ କ୍ରମେ ହାତ ଧୀରେ ଧୀରେ ବାହାରକୁ ଖସିଯାଇଥିଲା । ଏହା ଡିକମ୍ପୋଜିଶନ ବା ବିଘଟନ କାରଣରୁ ହେଉଛି ବୋଲି ସେ କହିଛନ୍ତି । ସମୟକ୍ରମେ ଯେତିକି ଯେତିକି ଶରୀର ଶୁଖିବାରେ ଲାଗେ ଶବର ଗତି ସେତିକି ବଢ଼ିଯାଏ । ଏଲିସନ କୁହନ୍ତି, ଏହି ଗବେଷଣା ହତ୍ୟାର କାରଣ ଜାଣିବାରେ ସାହାଯ୍ୟ କରିବ । ଶବ ଉପରେ ଗବେଷଣା କରିବା ପାଇଁ ଏଲିଶନ ପ୍ରତି ମାସରେ ତିନି ଘଣ୍ଟା ପାଇଁ ବିମାନରେ କେନ୍ସରୁ ସିଡ୍ନୀ ଯାଉଥିଲେ । ଶବର ଗତିକୁ ଅନୁଧ୍ୟାନ କରିବା ଲାଗି ଟାଇମ ଲ୍ୟାପ୍ସ କ୍ୟାମେରା ଖଞ୍ଜାଯାଇଥିଲା । ଏହା ପ୍ରତି ୩୦ ମିନିଟରେ ଶବର ଫଟୋ ନେଉଥିଲା । ମୃତ୍ୟୁ ପରେ ଶରୀରର କ’ଣ ହୁଏ ତାହା ଜାଣିବାରେ ଏଲିଶନଙ୍କର ପିଲାଦିନରୁ ଇଚ୍ଛା ରହିଥିଲା, ଯାହା ସେ ଏବେ ଜାରି ରଖିଛନ୍ତି । ଫରେନ୍ସିକ ସାଇନ୍ସ ଇଣ୍ଟରନ୍ୟାଶନାଲ ସିନର୍ଜି ମୁତାବକ, ଏହି ଗବେଷଣା ମୃତ୍ୟୁ ପରେ ଶରୀରର କ’ଣ ପରିବର୍ତ୍ତନ ହୁଏ ତାହା ଅଧିକ ଜାଣିବାରେ ସହାୟକ ହେବ । ଗବେଷଣାରେ ଏକ ପ୍ରକାର ସଫଳତା ପାଇଥିବାରୁ ଏଲିଶନ ଖୁସି ହୋଇଛନ୍ତି ଓ ଶବରେ କିଛି ଗତି ଲକ୍ଷ୍ୟ କରିବା ଘଟଣାକୁ ସାମ୍ନାକୁ ଆଣିଛନ୍ତି ଯାହା ଏଯାବତ୍ କେହି ବି ବୁଝିପାରି ନାହାନ୍ତି । ଆଉ ଅଧିକ ତଥ୍ୟ ହାସଲ କରିବା ପାଇଁ ଏଲିଶନ ଚେଷ୍ଟା ଜାରି ରଖିଛନ୍ତି ।


