ହାଇଦ୍ରାବାଦ ଦମ୍ପତ୍ତିଙ୍କ ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୦ତମ ଶିଶୁକୁ ଭାରପ୍ରାପ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପୋଷ୍ୟ ସନ୍ତାନ ଭାବେ ସୁଦୂର ହାଇଦ୍ରାବାଦର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ସମୟରେ ଜିଲ୍ଲାର ବିଭିନ୍ନ ଜାଗାରୁ ପରିତ୍ୟକ୍ତ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିସାନ ସାଲୋମ,ପାରଳାଖେମୁଣ୍ଡିରେ ରଖାଯିବା ସହ ସେମାନଙ୍କର ପୋଷ୍ୟ ଗ୍ରହଣ ପାଇଁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପୋର୍ଟାଲରେ ଅପ୍ଲୋଡ୍ କରାଯାଇଥିଲା । ପରବର୍ତ୍ତୀ ସମୟରେ ଶିଶୁଟିକୁ ଶିଶୁ ମଙ୍ଗଳ ସମିତି,ଗଜପତି ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ । ଯାହାଦ୍ୱାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ ତାହା ସମସ୍ତଙ୍କୁ ପୋର୍ଟାଲ ମାଧ୍ୟମରେ ଜଣାଇ ଦିଆ ଯାଇଥିଲା । ପରେ ମାସ ମାସ ଧରି ପୋଷ୍ୟ ସନ୍ତାନ ପାଇଁ ଅନ୍ ଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦମ୍ପତ୍ତିମାନଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଉପରୋକ୍ତ ଦମ୍ପତ୍ତି ଶାରୀରିକ ଭାବେ ଶିଶୁକୁ ପସନ୍ଦ କରି ନେବା ପାଇଁ ସ୍ଥିର କରିଥିଲେ । ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରସ୍ତୁତ କରିଥିଲେ । ସମସ୍ତ ଦସ୍ତାବିଜକୁ ଭାରପ୍ରାପ୍ତ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଶିଶୁଟିକୁ ହାଇଦ୍ରାବାଦର ଦମ୍ପତ୍ତିଙ୍କୁ ହସ୍ତାନ୍ତର କରି ଦିଆ ଯାଇଥିଲା । ଏହି ଶିଶୁଟି କନ୍ୟା ରତ୍ନ ହୋଇଥିବା ବେଳେ ଶିଶୁଟିକୁ ପାଇ ଦମ୍ପତ୍ତି ବେଶ୍ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା । ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ,ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କର୍ମକର୍ତ୍ତା ଉପସ୍ଥିତ ଥିଲେ ।


