ପୁଣି୧୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ କରାଗଲା
ଚୋରା ଗଞ୍ଜେଇ କାରବାରର ଭୂସ୍ୱର୍ଗ ପାଲଟିଛି ଗଜପତି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗଞ୍ଜେଇ ଚୋରା କାରବାରର ଭୂସ୍ୱର୍ଗ ପାଲଟିଛି । ପୁଣି ବେଆଇନ ଭାବେ ଚାଷ କରାଯାଇଥିବା ୧୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଚୋରା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ଏହି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ୧୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛକୁ ପୋଡାଯାଇଛି । ଏକ ସୂଚନାକୁ ଭିତ୍ତି କରି ମୋହନା ଥାନାଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ପୋଲିସ, ଅବକାରୀ,ବନ ଓ ରାଜସ୍ୱ ବିଭାଗ କର୍ମଚାରୀମାନେ ଚଢାଉ କରି ମୋହନା ବ୍ଲକର ଜିରାଙ୍ଗ ପଞ୍ଚାୟତର କୁମୁଲିସିଂ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୬୦ ଏକରରୁ ଉର୍ଦ୍ଧ୍ୱ ଜମିରେ ବେଆଇନ ଭାବେ ଲଗାଯାଇଥିବା ୧,୨୦,୦୦୦ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ ୧୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଏନେଇ ମୋହନା ଥାନାରେ କେସ ନଂ-୧୮/୨୧ ଆକ୍ଟ ୨୦ (କ)(ଆଇ) ରେ ମକଦ୍ଦମା ରୁଜୁ ହୋଇଛି । ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଏହି ଚଢାଉରେ ମାଜିଷ୍ଟ୍ରେଟ ଭାବେ ଯୋଗ ଦେଇଥିଲେ । ଏହି ଚଢାଉରେ ଜଣେ ହେଲେ ଗିରଫ ହୋଇନଥିବା ସୂଚନା ମିଳିଛି ।


