ହାଟଡିହି ବ୍ଲକରେ ବ୍ଲକସ୍ତରୀୟ ମନରେଗା ଯୋଜନାର ଜନଶୁଣାଣୀ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକସ୍ତରୀୟ ମନରେଗା ଯୋଜନାର ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ମନରେଗା ଯୋଜନାର ଜିଲ୍ଲା ସାମାଜିକ ସମିକ୍ଷକ ଚନ୍ଦନ ଆଇଚ, ବିଡିଓ ବିନିତା ବିଜୟିନୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଏପିଓ କାଞ୍ଚନବାଳା ପୃଷ୍ଟି ପ୍ରମୁଖ ଯୋଗଦେଇ ମନରେଗା ଯୋଜନାର ଶୁଣାଣି କରିଥିଲେ । ବିଭିନ୍ନ ପଞ୍ଚାୟତରେ ଚାଲିଥିବା ମନରେଗା ଯୋଜନାରେ ଉପୁଜିଥିବା ସମସ୍ୟା ଓ ଆବାସ ଯୋଜନାରେ ମିଳୁଥିବା ମନରେଗା ଅନୁଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଭିନ୍ନ ପଞ୍ଚାୟତ ମାନଙ୍କରେ ପଞ୍ଚାୟତ ସ୍ତରୀୟ ସାମାଜିକ ସମିକ୍ଷାରେ ହୋଇଥିବା ଆଲୋଚନା ସମ୍ପର୍କରେ ବିଆରପି ମାନେ ସେମାନଙ୍କ ମତ ରଖିଥିଲେ । ଅନେକ ହିତାଧିକାରୀ ଆବାସ ଯୋଜନାରେ ଘର ନିର୍ମାଣ କରି ବର୍ଷବର୍ଷ ଧରି ମନରେଗା ଯୋଜନାର ଅନୁଦାନ ପାଉନଥିବାବେଳେ ଆଉ କିଛି ହିତାଧିକାରୀଙ୍କର ଭିନ୍ନ ଏକାଉଣ୍ଟକୁ ଟଙ୍କା ପଳାଉଥିଲେବି ସେ ସମ୍ପର୍କରେ ଆଲୋଚନା ହୋଇପାରିନଥିଲା । ଏହି ବୈଠକରେ ସମସ୍ତ ଯନ୍ତ୍ରୀ, ପିଇଓ, ଜିଆରଏସ ମାନେ ଉପସ୍ଥିତ ଥିଲେ । ବିଆରପି ମାନେ ଲୋକମାନଙ୍କ ଅଭିଯୋଗକୁ ଠିକ ଭାବେ ଉପସ୍ଥାପନ କରିପାରୁ ନଥିବାରୁ ଏହି ଶୁଣାଣି ଏକ ପ୍ରହସନ ପାଲଟିଛି ବୋଲି ଅସୁବିଧା ଭୋଗ କରୁଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ମନରେଗା ଯୋଜନାରେ କାମକରି ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡି ଦୌଡି ହିତାଧିକାରୀମାନେ ସେମାନଙ୍କ ପ୍ରାପ୍ୟ ପାଉନଥିବା ଅଭିଯୋଗ କରିଛନ୍ତି ।


