ହିଞ୍ଜିଳି ଥାନା ଅଂଚଳରେ ବୃଦ୍ଧି ପାଉଛି ଲୁଟେରାଙ୍କ ଆତଙ୍କ;ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ପାଇଁ ଦାବି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଂଚଳରେ ଗତ କିଛି ଦିନ ଧରି ଲୁଟେରାଙ୍କ ପାର୍ଦୁଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା କି ସହରବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।ଶନିବାର ବିଳମ୍ବିତ ରାତିରେ ସ୍ଥାନୀୟ ପୌରାଂଚଳ ବଇଁଚବଣିଆ ଗୀତା ଭବନ ସମ୍ମୁଖ ଭାଗ ପୂର୍ବତନ ସାମରିକ କର୍ମଚାରୀ ଅଭିମନ୍ୟୁ ଦଳାଇଙ୍କ ସପରିବାର ଗତ ଅକ୍ଟୋବର ୪ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଚାଲି ଯାଇଥିଲେ । ଘରର ଦେଖାଶୁଣା କରିବା ସକାଶେ ସ୍ଥାନୀୟ ପୌରାଂଚଳରେ ବିବାହ କରିଥିବା ଝିଅକୁ କହିଥିଲେ । ପ୍ରତି ୨/୩ ଦିନରେ ଥରେ ଝିଅ, ବାପା ଘରକୁ ଯାଇ ବୁଲି ଆସୁଥିଲେ । ଶୁକ୍ରବାର ସନ୍ଧ୍ୟାରେ ଝିଅ, ବାପା ଘରକୁ ଯାଇ ବୁଲି ଆସିଥିବା ବେଳେ ପୁଣିଥରେ ରବିବାର ଅପରାହ୍ନରେ ବାପା ଘରକୁ ଯାଇଥିବା ବେଳେ ଘରର ମୁଖ୍ୟ ଦରଜା ଖୋଲା ଥିବା ବେଳେ ଘରର କବାଟ ଚାବି ଭଙ୍ଗା ଯାଇଥିବା ସହ ଆଲମାରୀ ଓ ସିନ୍ଧୁକ ଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲେ । ଏ ନେଇ ରବିବାର ସନ୍ଧ୍ୟାରେ ଝିଅ,ବାପା ଓ ହିଞ୍ଜିଳି ଥାନାକୁ ଖବର ଦେଇଥିଲେ । ଘରର ଆଲମିରା ଭାଙ୍ଗି ୨୦ ଭରି ଓଜନର ସୁନା ଓ ୧୦ ଭରି ଓଜନର ରୂପା ଅଳଙ୍କାର ସମେତ ନଗଦ ୧୫ ହଜାର ଟଙ୍କା ଲୁଟ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପଂହଚି ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ତେବେ ସୋମବାର ଖବରା ଲେଖା ହେବା ସୁଦ୍ଧା ହିଞ୍ଜିଳି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ତେବେ ରବିବାର ବିଳମ୍ବିତ ରାତିରେ ସ୍ଥାନୀୟ ପୌରାଂଚଳ ବଇଁଚବଣିଆ ଶ୍ରୀରାମ ନଗର ଅଂଚଳର ସୁବାଷ ଆଲଟିଆଙ୍କ ଘରର ବାରିପଟ କବାଟ ଗର୍ତ କରି ଲୁଟେରା ମାନେ ଘର ମଧ୍ୟରେ ପ୍ରବେଶ କରିଥିବା ବେଳେ ପରିବାର ଲୋକେ ସେହି ସମୟରେ ଉଠି ପଡ଼ିବାରୁ ଲୁଟେରା ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯ୍ଧବଥିଲେ । ସେହିପରି ସେହି ସାହିରୁ ହିଁ ରବିବାର ବିଳମ୍ବିତ ରାତିରେ ଲୁଟେରା ମାନେ ଅଭିମନ୍ୟୁ ବେହେରା ଓ ମିଟୁ ସାହୁଙ୍କ ଘର କବାଟ ଭାଙ୍ଗି ଘର ମଧ୍ୟରେ ପ୍ରବେଶ କରିଥିବା ବେଳେ ପରିବାର ସଦସ୍ୟ ନିଦରୁ ଉଠି ପଡ଼ିବାରୁ ଲୁଟ୍ରେ ବିଫଳ ହୋଇ ଲୁଟେରା ଦଳ ଘଟଣ ସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ମିଟୁ ସାହୁଙ୍କ ଘରୁ ୨ଟି ଦାମୀ ମୋବାଇଲ ଫୋନ ଲୁଟି ନେଇଥିବା ଜଣାପଡ଼ିଛି । ପ୍ରକାଶ ଥାଉକି, ଗତ ୨୧ ତାରିଖରେ ଟିଭିଏସ ସୋ ରୁମ୍ରେ ଲୁଟେରା ମାନେ ସାଢେ ୪ଲକ୍ଷ ଟଙ୍କା ଲୁଟ ହୋଇଥିବା ବେଳେ ୩୧ ତାରିଖରେ ସ୍ଥାନୀୟ ପରିବା ବଜାର ପ୍ରଦୀପ ପାତ୍ରଙ୍କ ରାସନ ଦୋକାନ ପଛପଟ କାନ୍ଥ କଣା କରି ଲୁଟେରା ମାନେ କିଛି ଖୁଚୁରା ଟଙ୍କା ଲୁଟ କରି ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ଗତ କିଛି ଦିନ ଧରି ସ୍ଥାନୀୟ ଥାନା ଅଂଚଳରୁ ବାରମ୍ବାର ଚୋରୀ ଘଟଣା ପରେ ସହରବାସୀଙ୍କ ନିଦ ହଜିଯାଇଛି । ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।


