ହୋଟେଲ ଛାତରୁ ଖସିପଡି ହାବିଲଦାରଙ୍କ ମୃତ୍ୟୁ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ଗୋବରୀ ନଦୀ ବାଇପାସ ରାସ୍ତାର ରଣପଡାସ୍ଥିତ ହୋଟେଲ ଗ୍ରାଣ୍ଡ ମୟୁରୀରେ ରବିବାର ବିଳମ୍ବିତ ରାତିରେ ଏକ ବିବାହ ଭୋଜିରେ ଯୋଗଦେବାକୁ ଆସିଥିବା ବେଳେ ରିଜର୍ଭ ପୋଲିସର ହାବିଲଦାର ସମରା ଲାକ୍ରା ହୋଟେଲ ଛାତରୁ ତଳକୁ ଖସିପଡିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁଯାଇ ରବିବାର ବିଳମ୍ବିତ ରାତିରେ ସେହି ହୋଟେଲରେ ଏକ ବିବାହ ଭୋଜିରେ ଯୋଗଦେବାକୁ ହାବିଲଦାର ଲାକ୍ରା ଆସିଥିଲେ । ହୋଟେଲର ଛାତବାଡା ଉପରେ ବସିଥିବା ବେଳେ ଅସାବଧାନତା ହେତୁ ସେ ତଳକୁ ଖସିପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏସମ୍ପର୍କରେ ଖବର ପାଇ ଟାଉନ ଥାନା ଇନସପେକ୍ଟର ଗୈାରାଙ୍ଗ ଚରଣ ପୃଷ୍ଟି ଓ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିବା ସହ ବିଭିନ୍ନ ଲୋକଙ୍କୁ ପଚରାଉଚୁରା କରିଛନ୍ତି । ଟାଉନ ଥାନା ପୋଲିସ ଶବ ଜବତ କରି ବ୍ୟବଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି । ମୃତ ହାବିଲଦାର ଲାକ୍ରାଙ୍କ ଘର ସୁନ୍ଦରଗଡରେ ବୋଲି ସୂଚନା ମିଳିଛି । ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକରଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଗାଡିରେ ସ୍ୱର୍ଗତ ଲାକ୍ରାଙ୍କ ଶବକୁ ପରିବାର ସହ ତାଙ୍କ ଜନ୍ମସ୍ଥାନ ସୁନ୍ଦରଗଡକୁ ପଠାଇ ଦିଆଯାଇଥିବା ଏସଡିପିଓ ଶ୍ରୀ ପଣ୍ଡାଙ୍କ ଠାରୁ ସୂଚନା ମିଳିଛି ।


