ୟୁପିକୁ ଗଞ୍ଜେଇ ଚାଲାଣ ବେଳେ ୧କୋଟି ୭୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଏସ୍ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତଥା ଏସ୍ଡିପିଓ ଆର୍.ଉଦୟଗିରିଙ୍କ ତତ୍ୱାବଧାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ତାଙ୍କ ଥାନା ଷ୍ଟାପ ଆଜି ସକାଳ ୫ଘଣ୍ଟା ସମୟରେ କମଳାପୁର ଛକରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଟାଟା ୧୫୧୨ କଣ୍ଟେନର ଯାହାର ନମ୍ବର ୟୁପି ୭୮ସିଏମ୍ ୦୩୬୧କୁ ଅଟକାଇ ଖାନ ତଲାସି କରିବାରେ ଉକ୍ତ ଗାଡିରେ ୫୧ ଗୋଟି ଗଞ୍ଜେଇ ଭର୍ତି ଥିବା ଜରି ବସ୍ତାକୁ ଦେଖିଥିଲେ । ଉକ୍ତ ଗଞ୍ଜେଇ ବସ୍ଥାକୁ ଉତ୍ତର୍ର ପ୍ରଦେଶ ବୁଲନ୍ଦଶହର ଅନ୍ତର୍ଗତ ଭୀମପୁର ଗ୍ରାମର ଗାଡି ଡ୍ରାଇଭର ସନୀଲ କୁମାର ଓ ତାଙ୍କ ଜଣେ ସାଙ୍ଗ ରମେଶ ସହିତ ମିଶି କୋରାପୁଟ ଅଞ୍ଚଳରୁ ଗଞ୍ଜେଇ ଲୋଟ କରି ଦିଲ୍ଲୀ ଅଭିମୁଖେ ଚାଲାଣ କରୁଥିଲେ । ରମେଶ ରାୟଗଡରେ ଗାଡିରୁ ଏହଙ୍ଖେଇ ପଡିଥିବା ବେଳେ ଡ୍ରାଇଭର ସୁନୀଲ ଏକୁଟିଆ ଗାଡି ଧରି ଯାଉଥିଲା । ଏହି ଗଞ୍ଜେଇ ଗୁଡିକୁ ମୋହନାର ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଆସିଷ କୁମାର ପ୍ରଧାନଙ୍କ ଉପସ୍ଥିତରେ ଓଜନ କରାଯାଇଥିଲା । ଜବତ ହୋଇଥିବା ଗଞ୍ଜେଇର ଓଜନ ୧୭୦ କେଜି ୧୦୦ଗ୍ରାମ ଏବଂ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧କୋଟି ୭୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଡ୍ରାଇଭର ସୁନୀଲକୁ ଗିରଫ କରାଯାଇଥିବା ବେଳେ କଣ୍ଟେନରଟିକୁ ଜବତ କରାଯାଇଛି । ଡ୍ରାଇଭରକୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଏନେଇ ମୋହନା ଥାନାରେ ୬୭/୨୧ରେ ଏକ ମାମଲା ରୁଜୁ କରାଯାଛି ଏବଂ ଏହାର ତଦନ୍ତ ସୁନୀଲ କୁମାର ଦଳେଇ କରୁଥିବାର ଥାନା ସୂତ୍ରରୁ ପ୍ରକାଶ ।


