ୟୁସିସିଆଇଏଲ୍ ପକ୍ଷରୁ ଆଲୋଚନାଚକ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟର ବୃହତ୍ତମ ଶିଳ୍ପ ଓ ବାଣିଜ୍ୟ ସଂଗଠନ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ଼ (ୟୁସିସିଆଇଏଲ) ପକ୍ଷରୁ ଆଜି ଏଠାରେ ନେଟ୍-ଜିରୋ ଯାତ୍ରାରେ କାର୍ବନ ଅଫସେଟର ଭୂମିକା ସମ୍ପର୍କରେ ଏକ ମାନସ ମନ୍ଥନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀ, ବେଙ୍ଗାଲୁର ଏବଂ ହାଇଦ୍ରାବାଦ ଆଦିର ଭେଦ କ୍ଲାଇମେଟ ଚେଞ୍ଜ ସଲ୍ୟୁସନ ସାଉଥ୍ ପୋଲ୍ ଓ ସେ ଟ୍ରିଜ୍ ଏନଭାଇରନମେଣ୍ଟାଲ ଟ୍ରଷ୍ଟ ଭଳି ସଂସ୍ଥାର ବିଶେଷଜ୍ଞମାନଙ୍କ ସହଯୋଗରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଶିଳ୍ପପତି, ଅଧ୍ୟାପକ, ବୁଦ୍ଧିଜୀବୀ ଏବଂ ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞମାନେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଦାନ୍ତ ଲିିମିଟେଡ଼ର ଭାପତି ଡ଼କ୍ଟର ତପନ ଚାନ୍ଦ ତାଙ୍କ ଅଭିଭାଷଣରେ ଶିଳ୍ପସଂସ୍ଥାଗୁଡ଼ିକ ସମସ୍ତ ପ୍ରକାର ନିର୍ଗମନର ପରିମାଣ ପ୍ରକାଶ ଦାୟିତ୍ୱ ନିର୍ବାହ କରିବା ଉଚିତ ବୋଲି କହିଥିଲେ । ଟାଟା ମାଇନିଂର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ ସତିଜା, ଏସାର ମିନମେଟ ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶଶି ଶେଖର ମହାନ୍ତି ଏବଂ ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ (ଜଙ୍ଗଲ) ଶ୍ରୀ ଅରୁଣ କୁମାର ବଂସଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ମହାନ୍ତି କହିଥିଲେ ଯେ, ପ୍ରକୃତି ମାତା ପାଖରେ ସାଗର ଓ ଜଙ୍ଗଲ ରୂପରେ ମନୁଷ୍ୟକୃତ ସମସ୍ତ ସମସ୍ୟାର ସମାଧାନ ରହିଛି । ଆମକୁ କେବଳ ସମ୍ବେଦନଶୀଳ ଭାବେ ପ୍ରକୃତିର ଆହ୍ୱାନ ଶୁଣିବାର ଅଛି । ଶ୍ରୀ ସତିଜା କହିଥିଲେ ଯେ, ପ୍ରକୃତିମାତା ଯୋଗୁ ହିଁ ମାନବ ସମାଜର ବିବର୍ତ୍ତନ ଘଟିଛି । ତେଣୁ ଆମ ମାଆକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ସଭ୍ୟ ସମାଜର କର୍ତ୍ତବ୍ୟ । ଅନ୍ୟ ପକ୍ଷରେ କାର୍ବନ ଅଫସେଟ ଯୋଜନା ଆମକୁ ଅଧିକ ପ୍ରଦୂଷଣ କରିବାକୁ ଲାଇସେନ୍ସ ଦେଇନାହିଁ ବୋଲି ଅନ୍ୟତମ ଅତିଥି ଶ୍ରୀ ବଂଶଲ ମତ ଦେଇଥିଲେ ।କାର୍ଯ୍ୟକ୍ରମର ନଲେଜ ପାର୍ଟନର ଭେଦ ସିସିଏସ୍, ସେ ଟ୍ରିଜ ଇଟି ଓ ସାଉଥ୍ ପୋଲ୍ ବିଭିନ୍ନ ଦୃଶ୍ୟ-ଶ୍ରାବ୍ୟ ଉପସ୍ଥାପନା ଜରିଆରେ ଆଞ୍ଚଳିକ ଓ ଜାଗତିକ ସମସ୍ୟାଗୁଡ଼ିକ ସମ୍ପର୍କରେ ଦର୍ଶାଇ ସେସବୁର ସମାଧାନ ପନ୍ଥା ଉଲ୍ଲେଖ କରିଥିଲେ । ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ପ୍ରେରଣା ଗ୍ରୀନ ଆର୍ମିର ସଭାପତି ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଓଡ଼ିଶାର ସବୁଜ ବଳୟ ସୁରକ୍ଷା ପାଇଁ ସେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ୟୁସିସିଆଇଏଲ୍ ସମ୍ପାଦକ ଶ୍ରୀ ଅଶୋକ କୁମାର ଶାରଦା ସଫଳତାର ସହ ଆୟୋଜନ ଓ ସଂଯୋଜନା କରିଥିଲେ । ରାଜ୍ୟର କନ୍ଧମାଳ ଜିଲ୍ଲାରୁ ଆରମ୍ଭ କରି ରାୟଗଡ଼ା ଓ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ କାର୍ବନ ଫୁଟପ୍ରିଣ୍ଟ କମାଇବାରେ ତାଙ୍କ ନିଜର ଅବଦାନ ସମ୍ପର୍କେରେ ସେ ପ୍ରକାଶ କରିଥିଲେ ।ଆଲୋଚନାଚକ୍ରରେ ପ୍ରତିଷ୍ଠିତ ବନ ବିଶେଷଜ୍ଞ, ଓଡ଼ିଶା ପରିବେଶ ସମିତିର ସଦସ୍ୟଗଣ, ଅବସରପ୍ରାପ୍ତ ବନ ଅଧିକାରୀ ସଂଘର ସଦସ୍ୟଗଣ, ଏଆଇସି ନାଳନ୍ଦାର କର୍ମକର୍ତ୍ତା, ଟାଟା ମାଇନିଂ ଲିମିଟେଡ଼ ଏବଂ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ର କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିବା ସହିତ ଅଂଶଗ୍ରହଣ କରିଥିଲେ । ଦିଲ୍ଲୀ ବଶ୍ୱବିଦ୍ୟାଳୟର ଡକ୍ଟର ତୃପ୍ତି ଦେଓ କାର୍ଯ୍ୟକ୍ରମର ମାଷ୍ଟର ଥିଲେ । ୟୁସିସିଆଇଏଲ ଭାରପ୍ରାପ୍ତ ସଭାପତି ଶ୍ରୀଯୁକ୍ତ ତାରିଣୀ ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ


