୧୨୬ଥର ରକ୍ତଦାନ କରି ଚର୍ଚ୍ଚାରେ ଶରତ

ହାଟଡିହି, (ବିକାଶ ବିଶ୍ୱାଳ):ଥରେ କି ଦୁଇଥର ନୁହଁ ୧୨୬ଥର ରକ୍ତଦାନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ହାଟଡିହି ବ୍ଲକ ସଡଙ୍ଗା ଗ୍ରାମର ଶରତ କୁମାର ପାତ୍ର । ସେ ୧୯ ବର୍ଷର ହୋଇଥିବା ସମୟରେ ଥରେ କଟକ ଯାଉଥିବା ସମୟରେ ଏକ ଦୁର୍ଘଟଣାର ଶୀକାର ହୋଇଥିବା ରୋଗୀଙ୍କୁ କଟକ ବଡଡାକ୍ତରଖାନାରେ ରକ୍ତଦାନ କରିଥିଲେ । ସେହିଦିନ ଠାରୁ ସେ ରକ୍ତଦାନ କରିବା ପାଇଁ କେବେବି ପଛକୁ ଫେରି ନାହାନ୍ତି । ଯେଉଁଠି ରକ୍ତଦାନ ଶିବିର ହୁଏ କିମ୍ବା କିଏ ଡାକ୍ତରଖାନାରେ ପଡିଥିବାବେଳେ ସେଠାରେ ପହଞ୍ଚି ରକ୍ତଦାନ କରି ଚାଲିଛନ୍ତି । ରକ୍ତର ବିକଳ୍ପ ନାହିଁ ଓ ରକ୍ତଦାନ ମହାପୁଣ୍ୟ ଅର୍ଥକୁ ସେ ଭଲ ଭାବରେ ବୁଝି ଅନ୍ୟ ମାନଙ୍କୁ ବୁଝାଇବାରେ ସେ ଲାଗି ପଡିଛନ୍ତି । ସେ ଏଥିଲାଗି ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ଆସିଛନ୍ତି । ଗତକାଲି ବଡରମ୍ପାସରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ପହଞ୍ଚି ତାଙ୍କ ପଞ୍ଚାୟତରେ ପ୍ରଥମଥର ରକ୍ତଦାନ ଶିବିର ହେଉଥିବାରୁ ଅତି ଉତ୍ସାହର ସହ ରକ୍ତଦାନ କରିବା ସହିତ ଅନ୍ୟମାନଙ୍କୁ ରକ୍ତଦାନ କରିବାପାଇଁ ପ୍ରୋତ୍ସାହିତ କରିଥିଲେ । ଆଜିର ଯୁବ ପିଢ଼ୀମାନେ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ରକ୍ତ କେଉଁଠି ତିଆରି କରାଯାଏ ନାହିଁ କି କୌଣସି ଦୋକାନରେ କେବେ ବିକ୍ରୀ ହୁଏ ନାହିଁ, ତେଣୁ ପ୍ରତି ପଞ୍ଚାୟତରେ ବର୍ଷକୁ ଥରେ କି ଦୁଇଥର ଓ ପ୍ରତି ଗାଁରେ ବର୍ଷରେ ଥରେ ଗୋଟିଏଁ ଲେଖାଏଁ ରକ୍ତଦାନ ଶିବିର କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଏପରି ହେଲେ ରକ୍ତର ଅଭାବ ରହିବ ନାହିଁ ବୋଲି ସେ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ