୧୨ କୋଟି ବର୍ଷ ତଳର ପାରା

୧୨ କୋଟି ବର୍ଷ ପୂର୍ବେ ଡାଇନୋସର ଉପରେ ଉଡାଣ ଭରୁଥିବା ବିଶ୍ୱର ଅନ୍ୟତମ ପ୍ରଥମ ପକ୍ଷୀର ଅବଶେଷ ଜାପାନରେ ଆବିଷ୍କୃତ ହୋଇଛି । ପାରା ଆକାର ବିଶିଷ୍ଟ ଏହି ପକ୍ଷୀର ପଙ୍ଖ ଧୂସର ଓ ମାଟିଆ ରଙ୍ଗର ଥିଲା । ବୈଜ୍ଞାନିକଙ୍କ ମତରେ ଏହା ନିଜ ଲାଞ୍ଜ ହଲାଇ ପାରୁଥିଲା ଏବଂ ସମ୍ଭବତଃ ପଙ୍ଖ ଫଡ଼ଫଡ଼ କରିପାରୁଥିଲା । ଏହାର ନାଁ ‘ଫୁକୁଇପଟେରିକ୍ସ ପ୍ରାଇମା’ । ପଥରର କନ୍ଦରରୁ ଏହାର ଅସ୍ଥି ଠାବ କରାଯାଇଥିଲା । ଯାହା ପ୍ରାରମ୍ଭିକ କ୍ରିଟେସିଅସ୍ ଯୁଗର । ଏହି ସମୟରେ ପ୍ରଥମ ପକ୍ଷୀ ଦେଖାଯିବା ଆରମ୍ଭ କରିଥିଲେ । ଫୁକୁଇପଟେରିକ୍ସ ସେହି ସମୟର ପ୍ରଥମ ପକ୍ଷୀ ଯାହା ଚୀନ ବାହାରେ ଦେଖାଯାଇଥିଲା । ସେଥିପାଇଁ ଏହାର ଉଡ଼ାଣ ବିକାଶ ସମ୍ପର୍କରେ ପୁଣି ଥରେ ଚିନ୍ତନ କରିବାକୁ ବୈଜ୍ଞାନିକମାନେ ବାଧ୍ୟ ହୋଇଛନ୍ତି । ଏହି ପକ୍ଷୀ ନଦୀ ଓ ଝରଣା ନିକଟରେ ବାସ କରୁଥିବାର ଅନୁମାନ କରାଯାଉଛି । ଟେରୋସରସ ଓ ଡାଇନୋସର ସମ୍ଭବତଃ ଏହାକୁ ଶିକାର କରୁଥିଲେ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ଏହା ଆର୍ଦ୍ର ପରିବେଶରେ ବାସ କରୁଥିଲା । ଉକ୍ତ ଅଞ୍ଚଳ ଅଧିକାଂଶ ସମୟ ଉଷ୍ମ ଓ ଆର୍ଦ୍ର ରହୁଥିଲା । ଖୁବ କମ ସମୟ ଶୁଷ୍କ ଜଳବାୟୁକୁ ସେ ସାମ୍ନା କରୁଥିଲା । ମିଳିଥିବା ଅବଶେଷରେ ତା’ର ଥୋଡି ନଥିବାରୁ ପକ୍ଷୀଟି କ’ଣ ଖାଉଥିଲା, ସେ ବିଷୟରେ ବୈଜ୍ଞାନିକମାନେ ଜାଣିପାରି ନାହାନ୍ତି । ଏହି ଅବଶେଷ ପ୍ରାରମ୍ଭିକ ପକ୍ଷୀ ବିକାଶ ସମ୍ପର୍କରେ ଅଧିକ ତଥ୍ୟ ଯୋଗାଇବ ବୋଲି ଗବେଷକମାନେ ଆଶା କରୁଛନ୍ତି । ଫୁକୁଇପଟେରିକ୍ସର ଅନେକ ବୈଶିଷ୍ଟ୍ୟ ବିଶ୍ୱର ପ୍ରଥମ ପକ୍ଷୀ ଆର୍କିଓପଟେରିକ୍ସ ସହ ମେଳ ଖାଉଛି । ଶେଷ ଜୁରାସିକ କାଳ ଅର୍ଥାତ ପ୍ରାୟ ୧୪ କୋଟି ବର୍ଷ ପୂର୍ବେ ଜର୍ମାନୀରେ ଆର୍କିଓପଟେରିକ୍ସ ବିଚରଣ କରୁଥିଲେ । ଫୁକୁଇପଟେରିକ୍ସ ଏମାନଙ୍କ ଅପେକ୍ଷା ବହୁତ ଅଧିକ ଉନ୍ନତ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ