୨ବର୍ଷର ଝିଅ ଦେହରେ ୨୮ ଥର ବ୍ୟାଣ୍ଡେଜ ;ଚିକିତ୍ସାପାଇଁ ପ୍ରଶାସନର ପ୍ରସ୍ତୁତି

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଂଚାୟତ ଅର୍ନ୍ତଗତ ଡାହୁ ଗ୍ରାମର ୨ବର୍ଷର ଝିଅ ସାଲୁନିକା ପ୍ରଧାନ । ଜନ୍ମ ହେବାର ୧୩ଦିନ ପରଠାରୁ ଝିଅକୁ କେହି ଧରିଲେ ଦେହର ହାଡ଼ ଗୁଡ଼ିକ ଭାଙ୍ଗିଯାଉଛି । ସେଥିପାଇଁ୨ବର୍ଷର ଝିଅ ର ହାତ,ଗୋଡ଼ ସମେତ ଶରୀରର ବିଭିନ୍ନ ଅଙ୍ଗରେ ୨୮ଟି ବ୍ୟଣ୍ଡେଜ୍ ପଡିଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସାଲୁନିକାର ସମସ୍ତ ଚିକିତ୍ସା ମାଗଣାରେ କରିବା ପାଇଁ କଟକ ଜିଲ୍ଲା ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁର୍ନବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା(ନିରତାର୍‌) ନିଜ ତରଫରୁ ଏନେଇ କନ୍ଧମାଳ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛନ୍ତି । ନିରତାର୍‌ର ନିର୍ଦ୍ଦେଶକ ଡାକ୍ତର ଶକ୍ତି ପ୍ରସାଦ ଦାସ ସାଲୁନିକାର ଏଭଳି ବିରଳ ରୋଗ ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ସଂସ୍ଥାର ବୈଷୟିକ ନିର୍ଦ୍ଦେଶକ କିଶୋର ଚନ୍ଦ୍ର ମହାପାତ୍ରଙ୍କ ସହିତ ଆଲୋଚନାକରିଥିଲେ ।ଏହାପରେ ସେ ଫୁଲବାଣୀ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର(ଡିଡିଆରସି) ର ଅଧିକ୍ଷକ ଅକ୍ଷୟ କୁମାର ପଣ୍ଡାଙ୍କ ସହିତ ଯୋଗାଯୋଗ କରି ସାଲୁନିକାକୁ ଓଲଟପୁରକୁ ପଠାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ ।ପରେ ସେ କନ୍ଧମାଳ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଚିଠିଲେଖି ପୀଡ଼ିତା ଝିଅକୁ ସଂସ୍ଥାକୁ ପଠାଇଲେତାହାର ଚିକିତ୍ସା ସଂସ୍ଥା ତରଫରୁ ସମ୍ପୁର୍ଣ୍ଣ ମାଗଣାରେ କରାଯିବ ବୋଲି କହିଛନ୍ତି । ସଂସ୍ଥା ଠାରୁ ଚିଠି ପାଇବା ପରେ ଜିଲ୍ଲାପାଳ ମଧ୍ୟ ତୁରନ୍ତ ତତ୍ପରତା ପ୍ରକାଶ କରି ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଖୁବ ଶୀଘ୍ର ପୀଡ଼ିତା ଝିଅ ସାଲୁନିକାକୁ ଓଲଟପୁର ସ୍ଥିତ ନିରତାର୍ କୁ ପଠାଇବା ବ୍ୟବସ୍ଥା କରୁଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।ଏଭଳି ସ୍ଥଳେ ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ଦିନ ସାଲୁନିକାର ଚିକିତ୍ସା ପାଇଁ କଟକ ସ୍ଥିତ ଓଲଟପୁରକୁ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ