୨ମାସର ଦରମା ଓ ସୁରକ୍ଷା ବୀମା ପ୍ରଦାନ ପରେ ଗଜପତିରେ ବସ୍ ଗଡିବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟ ସରକାରଙ୍କ ଆଦେଶ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ସତ୍ୱେ ଗଜପତି ଜିଲ୍ଲାରେ ଘରୋଇ ବସ୍ ଚଳାଚଳ କରିବାରେ ବସ୍ କର୍ମଚାରୀମାନେ ଯୋଗ ଦେବେ ନାହିଁ ବୋଲି ସୁଚନା ମିଳିଛି । ପାରଳାଖେମୁଣ୍ଡି ମୋଟର କର୍ମଚାରୀ ସଂଘର ସଭାପତି ପି.କ୍ରିଷ୍ଣା,ଉପସଭାପତି ଆର.କେ.ନାୟକ,ସମ୍ପାଦକ କେ.ବି.କ୍ରିଷ୍ଣା,ସାଧାରଣ ସମ୍ପାଦକ ପି.ସିମାଦ୍ରି,ସହ ସମ୍ପାଦକ ଲୋକନାଥ ସାହୁ,କୋଷାଧ୍ୟକ୍ଷ କୋଟା.ଗିରି ପ୍ରମୁଖ ଆଜି ସାମ୍ବାଦିକମାନଙ୍କୁ ଜଣାଇଛନ୍ତି ଯେ,ସରକାରଙ୍କ ନିର୍ଦ୍ଦେଶ କ୍ରମେ କରୋନାକୁ ଦୃଷ୍ଟିରେ ରଖି ପ୍ରାୟା ୨ମାସରୁ ଉର୍ଦ୍ଧ ହେଲା ସମସ୍ତ ବସ୍ ଚଳାଚଳ ବନ୍ଦ ହୋଇ ରହିଥିଲା । ଇତି ମଧ୍ୟରେ ସରକାର ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । ଏଥି ସହ ବସ୍ ଚଳାଚଳ ପାଇଁ ଘରୋଇ ବସ୍ ମାଲିକମାନଙ୍କ ପାଇଁ ସରକାର ୩ମାସର ରାସ୍ତା ଟିକସ ଛାଡ କରିବା ଘୋଷଣା କରିଛନ୍ତି । ହେଲେ ଘରୋଇ ବସ୍ କର୍ମଚାରୀମାନେ ଦରମା ନ ପାଇ ନିଜ ପରିବାର ପରିପୋଷଣ କରିବାକୁ ନାନା ଅସୁବିଧାର ସମ୍ମୁଖିନ ହୋଇ ଆର୍ଥିକ ସଂକଟରେ ଗତି କରୁଥିଲେ ସୁଦ୍ଧା ସରକାର କର୍ମଚାରୀମାନଙ୍କୁ ଅଣଦେଖା କରି ବର୍ତ୍ତମାନ ସରକାର ବସ୍ ଚଲାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଘରୋଇ ବସ୍ ଚଳାଚଳ ପାଇଁ ବସ୍ ମାଲିକମାନଙ୍କୁ ୩ମାସର ରାସ୍ତା ଟିକସ ଛାଡ କରି କ୍ଷତିପୁରଣ ପ୍ରଦାନ କରିଛନ୍ତି । ସେପରି ବସ୍ କର୍ମଚାରୀମାନଙ୍କୁ ସେମାନଙ୍କର ୨ମାସର ଦରମା ମାସକୁ ୭୫୦୦ଲେଖାଏଁ ସରକାର ପ୍ରଦାନ କରନ୍ତୁ ବୋଲି ଦାବି କରିବା ସହ ବସ୍‌ରେ କାର୍ଯ୍ୟ କରିବା ବେଳେ କରୋନା ସଂକ୍ରମଣ ହେଲେ ସେମାନଙ୍କର ସୁରକ୍ଷା ପାଇଁ ସରକାରୀ ବୀମାର ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି । ଏହି ଦୁଇଗୋଟି ଦାବୀ ପୁରଣ ନ ହେଲେ ବସ୍ ଚଳାଚଳ କରିବ ନାହିଁ ବୋଲି ଏମାନେ ପ୍ରକାଶ କରିଛନ୍ତି । ଏଠାରେ ସ୍ମରଣ ଯୋଗ୍ୟ,ଏହି ମୋଟର କର୍ମଚାରୀ ସଂଘ ଅଧିନରେ ୪ଶହ କର୍ମଚାରୀ ଯଥା ଡ୍ରାଇଭର,କଣ୍ଡକ୍ଟର,ହେଲପର ରହିଛନ୍ତି । ଉଭୟ ଆନ୍ଧ୍ର ଓଡିଶାର୯୦ ଗୋଟି ରୁଟ୍‌ରେ ଏହି କର୍ମଚାରୀଙ୍କ ଦ୍ୱାରା ୯୦ ଗୋଟି ବସ୍ ଚଳାଚଳ ହୋଇ ଆସୁଥିଲା । ମୋଟର କର୍ମଚାରୀ ସଂଘର ଏଭଳି ଦାବି ଯୋଗୁଁ ଗଜପତି ଜିଲ୍ଲାରେ କେବେ ବସ୍ ଚଳାଚଳ ଆରମ୍ଭ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ