୨୧ତମ ଗୁରୁ ପ୍ରଣାମ ମହୋତ୍ସବ ପାଳିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ବିିଶିଷ୍ଟ ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ପ୍ରତିଷ୍ଠିତ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ୨୧ତମ ଗୁରୁପ୍ରଣାମ ମହୋତ୍ସବ ସୋମବାର ସନ୍ଧ୍ୟାରେ ବୁଦ୍ଧ ମନ୍ଦିର ସଭାଗୃହରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ, ଆମ ସମାଜ ଗୁରୁଙ୍କୁ ଭଗବାନଙ୍କ ସ୍ଥାନ ଦେଇଛି, କିନ୍ତୁ ଆଜିର ନୂତନ ପିଢୀ ସେ କଥାକୁ ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି । ଆଜି ସମୟ ଆସିଛି ଆସନ୍ତୁ ଜୀବିତାବସ୍ଥାରେ ଗୁରୁଋଣ ପରିଶୋଧ କରିବା ପାଇଁ ଚେଷ୍ଟା କରିବା । ମୁଖ୍ୟ ଅତିଥି ପୁଷା ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟର କୁଳାଧିପତି, ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡଃ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର କହିଲେ ଯେ, ପିତା, ମାତା ପ୍ରଥମ ଗୁରୁ । ପ୍ରଥମେ ସେମାନଙ୍କ ସେବା ପୂଜା କରିବା ଉଚିତ୍ । ଆମ ସଂସ୍କୃତିରେ ଗୁରୁଙ୍କର କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ଶାସନ କ୍ଷେତ୍ରରେ ମଧ୍ୟ ଏକ ବିଶେଷ ଭୂମିକା ଥିଲା । ରାଜା ସୁଶାସନ ପାଇଁ ଗୁରୁଙ୍କର ପରାମର୍ଶ ନେଉଥିଲେ କିନ୍ତୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆମେ ତାକୁ ଭୁଲିଯାଉଛୁ । ଅନ୍ୟତମ ଅତିଥି ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି କହିଲେ ଯେ, ଗୁରୁ ଜ୍ଞାନ ବାତା ଏହା ସତ୍ୟ କିନ୍ତୁ ସାମାଜିକ ପରିବର୍ତ୍ତନରେ ମଧ୍ୟ ଗୁରୁମାନଙ୍କର ଏକ ବିଶେଷ ଭୂମିକା ରହିଛି ।ମୁଖ୍ୟବକ୍ତା ବିଶିଷ୍ଟ ପ୍ରବକ୍ତା ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ, ଗୁରୁଣାଂ ଗୁରୁ ପରାମତ୍ମାଙ୍କର ଅଶେଷ କୃପା ନହେଲେ ସଂସାରରେ ଦୂବଘାସଟେ ମଧ୍ୟ ହଲିବ ନାହିଁ । କାର୍ଯ୍ୟକ୍ରମରେ ସଞ୍ଚାଳକ, ସର୍ବେ ଭବନ୍ତୁ ସୁଖୀନଃ କାର୍ଯ୍ୟକ୍ରମର ପ୍ରବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମକୁ ସଞ୍ଚାଳନ କରି କହିଲେ ଯେ, ଗୁରୁକୂଳରେ ଗୁରୁ ଯେଉଁ ଶିକ୍ଷାଦାନ କରୁଥିଲେ ତାହା ଶିଷ୍ୟ ବା ବ୍ରହ୍ମଚାରୀର ଜୀବନ ସଂଗ୍ରାମରେ ପ୍ରତିଫଳିତ ହେଉଥିଲା ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାବା ବୈକୁଣ୍ଠ ନାଥ ସାଂସ୍କୃତିକ ପରିଷଦ ପକ୍ଷରୁ ହେ ଗୁରୁ ତୁମେ ମଙ୍ଗଳମୟ ଭଜନ ଗୁରୁ ସୀତାଂଶୁ ରାଉତ ପରିବେଷଣ କରିଥିଲେ । ସୀତା ବଲ୍ଲଭ ମହାପାତ୍ର ପ୍ରାରମ୍ଭିକ ସୂଚନା ଓ ଡଃ ଯୁଧିଷ୍ଠିର ଖଟୁଅ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଏକ ଶାନ୍ତି ଯଜ୍ଞ ଆର୍ଯ୍ୟ ଭବନ ପରିସରରେ ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ବ୍ରହ୍ମତ୍ୱରେ ଅନୁଷ୍ଠିତ ହୋଇଥିଲା । ବାସ୍ତୁବିତ୍ ଡଃ ମନୋଜ ଲେଙ୍କା ଓ ଆଡ଼ଭୋକେଟ ବନ ମହାନ୍ତି ଯଜମାନ ଥିଲେ । ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ସାହିତ୍ୟ, ସଂସ୍କୃତି, ସଂସ୍କୃତ ଶିକ୍ଷା କ୍ଷେତ୍ରରେ ଜୀବନବ୍ୟାପୀ ସଧନା ପାଇଁ ଖ୍ରୀଷ୍ଟ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ଭାସ୍କର ଚନ୍ଦ୍ର ଖଟେଇ, ପାଲା ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା ଓ ପ୍ରଧାନ ଆଚାର୍ଯ୍ୟ ଡଃ ଆର୍ତ୍ତତ୍ରାଣ ମିଶ୍ରଙ୍କୁ ଗୁରୁ ପ୍ରଣାମ ସମ୍ମାନ-୨୦୨୦ ପ୍ରଦାନ କରିଥିଲେ । ଉତ୍ସବରେ ବିଶିଷ୍ଟ ଧର୍ମଗୁରୁ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ସତ୍ୟକାମାନନ୍ଦ ସରସ୍ୱତୀ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ ଓ ବାବା ଅଭିରାମ ସରସ୍ୱତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ