୨୩ ମାର୍ଚ୍ଚ ସହିଦ ଭଗତ ସିଂହଙ୍କ ବଳିଦାନ ଦିବସରେ କୃଷକ ଅଧିକାର ସମାବେଶ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କୃଷକର ହକ୍ ପାଇଁ ୧୨ ମାର୍ଚ୍ଚ ଠାରୁ ୨୩ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କୃଷକ ଅଧିକାର ଯାତ୍ରା ସଂଗଠିତ ହେବ । ୨୩ ମାର୍ଚ୍ଚ ସହିଦ ଭଗତ ସିଂହଙ୍କ ବଳିଦାନ ଦିବସରେ ରାଜ୍ୟସ୍ତରୀୟ କୃଷକ ଅଧିକାର ସମାବେଶ ସଂଗଠିତ କରାଯିବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚାର ଅଂଶୀଦାର ମିଳିତ କୃଷକ ମଞ୍ଚ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡ଼ିଶା ରାଜ୍ୟ ଆବାହକ ମଣ୍ଡଳୀ ତରଫରୁ ଘୋଷଣା କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ଜନବିରୋଧୀ ଏବଂ କୃଷକ ବିରୋଧୀ ତିନି କୃଷି ଆଇନ ଯଥା ପ୍ରାଇଭେଟ ମଣ୍ଡି ଆଇନ ରଦ୍ଦ କରିବା, ଚୁକ୍ତି ଚାଷ ଆଇନ ରଦ୍ଦ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ରଦ୍ଦ କରିବା ଏବଂ ଏମ୍‌.ଏସ୍ ସ୍ୱାମୀନାଥନ କମିଶନଙ୍କ ସୁପାରିଶ ଆଧାରରେ ସମସ୍ତ କୃଷିଜାତ ସାମଗ୍ରୀ ଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଦାବି କରି ଏହି ଯାତ୍ରା ସଂଗଠିତ କରାଯାଉଛି । ଓଡ଼ିଶାର ବିଭିନ୍ନ ଧାନ ମଣ୍ଡିରେ ଟୋକନ ପାଇଥିବା ଏବଂ ପଡ଼ି ରହିଥିବା ଧାନକୁ ଏମ୍‌ଏସ୍‌ପି ପ୍ରଦାନ କରି ତୁରନ୍ତ ସଂଗ୍ରହ କରିବାକୁ ଦାବି କରାଯାଇଛି । ଇତି ମଧ୍ୟରେ ଦିଲ୍ଲୀ ଚଲୋ କିଷାନ ଆନ୍ଦୋଳନ ୧୦୦ଦିନ ଅତିକ୍ରମ କରିସାରିଛି ଏବଂ ୨୫୦ରୁ ଉର୍ଦ୍ଧ୍ୱ କୃଷକ ଯୋଦ୍ଧା ସହିଦ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଦେଶର ଅନ୍ନଦାତାଙ୍କ ପ୍ରତି ଏହିଭଳି ସର୍ବନାଶକାରୀ ନୀତି ଏବଂ ଦମନ ମନୋବୃତ୍ତିର ପ୍ରତିବାଦ କରି କିଷାନ ଅଧିକାର ଯାତ୍ରା ଏବଂ ସମାବେଶ ସଂଗଠିତ କରାଯିବ । ୧୨ ମାର୍ଚ୍ଚରୁ ଭୁବନେଶ୍ୱରରୁ ବାହାରି ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲା ପ୍ରଭୃତି ୧୮ଟି ଜିଲ୍ଲା ଅତିକ୍ରମ କରି ୨୩ ମାର୍ଚ୍ଚରେ ରାଜ୍ୟସ୍ତରୀୟ କୃଷକ ସମାବେଶ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗଠାରେ ଅନୁଷ୍ଠିତ ହେବ । ଏହି କୃଷକ ଯାତ୍ରା ଏବଂ ସମାବେଶକୁ ରାଜ୍ୟବାସୀ ସାହାଯ୍ୟ, ସହଯୋଗ ଏବଂ ସମର୍ଥନ ଦେଇ ସଫଳ କରିବା ନିମନ୍ତେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ କ୍ଷୀରୋଦ ସିଂହଦେଓ, ସୁରେଶ ପାଣିଗ୍ରାହୀ, ଲିଙ୍ଗରାଜ, ପ୍ରଫୁଲ୍ଲ ସାମନ୍ତରା, ଅଶୋକ ପ୍ରଧାନ, ଜ୍ୟୋତି ରଞ୍ଜନ ମହାପାତ୍ର, ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଶ୍ରୀକାନ୍ତ ମହାନ୍ତି, ରଘୁନାଥ ଦାସ, ଶଙ୍କର ସାହୁ, ଦେବ ପ୍ରସାଦ ରାୟ, ନରେନ୍ଦ୍ର ମହାନ୍ତି, ବଳଭଦ୍ର ମଲ୍ଲିକ ଏବଂ ବିଜୟ ସ୍ୱାଇଁ ପ୍ରମୁଖ କୃଷକ ନେତୃବୃନ୍ଦ ଏକ ପ୍ରେସ୍ ବିଜ୍ଞପ୍ତିରେ ନିବେଦନ କରିଛନ୍ତି । ରାଜ୍ୟର ପ୍ରମୁଖ ୧୪ଟି କୃଷକ ସଂଗଠନ ଏହି ମିଳିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ