୨୪ ଘଣ୍ଟା ମଧ୍ୟରେ ଆରୋଗ୍ୟ ହୋଇଛନ୍ତି ୧୯୦୦୦ରୁ ଅଧିକ ସଂକ୍ରମିତ
ନୂଆଦିଲ୍ଲୀ : ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହିତ ସମ୍ପୂର୍ଣ୍ଣ ସହଯୋଗରେ କେନ୍ଦ୍ର ଦ୍ଵାରା ନିଆଯାଇଥିବା ସମନ୍ୱିତ ପଦକ୍ଷେପଗୁଡିକ ମାଧ୍ୟମରେ ଶୀଘ୍ର ଚିହ୍ନଟ ଏବଂ ଠିକ୍ ସମୟରେ ନିରାକରଣ ତଥା ପ୍ରଭାବଶାଳୀ ଚିକିତ୍ସା ପରିଚାଳନା ଯୋଗୁଁ ଆରୋଗ୍ୟ ହାର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ, ସମୁଦାୟ ୧୯,୨୩୫ସଂକ୍ରମିତ ରୋଗୀ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି । ଏହାଦ୍ୱାରା ସମୁଦାୟ ଆରୋଗ୍ୟ ମାମଲା ଆଜି ୫,୩୪,୬୨୦କୁ ବୃଦ୍ଧି ପାଇଛି । ସୁସ୍ଥତା ହାର ବର୍ତ୍ତମାନ ୬୨.୯୩%ରେ ପହଞ୍ଚିଛି । ସମସ୍ତ ପ୍ରକାରର ଉଦ୍ୟମ ଯୋଗୁଁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଏହି ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାଠାରୁ ୨,୪୨,୩୬୨ ଅଧିକରେ ପହଞ୍ଚିଛି । ସମସ୍ତ ୨,୯୨,୨୫୮ ସକ୍ରିୟ ରୋଗୀଙ୍କ ଉତ୍ତମ ଚିକିତ୍ସା ପ୍ରତି ଧ୍ୟାନ ଦିଆଯାଉଛି । କୋଭିଡ ପ୍ରଭାବିତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ବର୍ତ୍ତମାନ ୧,୩୭୦ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନା, ୩,୦୬୨ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୧୦,୩୩୪ କୋଭିଡ କେୟାର ସେଣ୍ଟର ରହିଛି । କେନ୍ଦ୍ର ୧୨୨.୩୬ ଲକ୍ଷ ପିପିଇ କିଟ୍ସ, ୨୨୩.୩୩ ଲକ୍ଷ ଏନ-୯୫ମାସ୍କ ଏବଂ ୨୧,୬୮୫ଟି ଭେଣ୍ଟିଲେଟର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ଉପଲବ୍ଧ କରାଇଛି । କୋଭିଡ-୧୯ ପରୀକ୍ଷଣ ପାଇଁ ସମସ୍ତ ପ୍ରତିବନ୍ଧକକୁ ଦୂରେଇବା ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ୱାରା ବ୍ୟାପକ ପରୀକ୍ଷଣର ସୁବିଧା ଉପଲବ୍ଧ କରିବା ଦ୍ଵାରା ପ୍ରତ୍ୟେକ ଦିନ ନମୁନା ପରୀକ୍ଷା ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୮୦,୧୫୧ ନମୁନା ପରୀକ୍ଷା କରାଯାଇଛି । ପରୀକ୍ଷା ହୋଇଥିବା ନମୁନାଗୁଡ଼ିକର ସମୁଦାୟ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧,୧୫,୮୭,୧୫୩ରେ ପହଞ୍ଚିଛି । ଏହି ପ୍ରୟାସ ଦ୍ଵାରା ବର୍ତ୍ତମାନ ପରୀକ୍ଷଣ ସଂଖ୍ୟା ପ୍ରତି ମିଲିୟନ ପିଛା ୮୩୯୬.୪ ରହିଛି । ବର୍ତ୍ତମାନ ଦେଶରେ ସମୁଦାୟ ୧୧୯୪ଟି ପରୀକ୍ଷାଗାର ରହିଥିବା ବେଳେ ସେଥିମଧ୍ୟରୁ ସରକାରୀ ଏବଂ ବେସରକାରୀ ଭାବେ ୮୫୦ ଏବଂ ୩୪୪ଟି ରହିଛି ।


