୨୬ତମ ସପ୍ତାହରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୭୮ତମ ଜୟନ୍ତୀ ଅବସରରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ, ଚିନ୍ତକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ବ୍ୟାସକବି ଓଡ଼ିଆ ଭାଷା, ସାହିତ୍ୟ, ଦର୍ଶନ, ଗଳ୍ପ ତଥା ସାମ୍ବାଦିକତା ପ୍ରମୁଖର ଅଦ୍ୱିତୀୟ ଯୋଦ୍ଧା ତଥା ଅତୁଳନୀୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ଓଡ଼ିଆ ଭାଷାକୁ ଇଂରେଜମାନଙ୍କ କବଳରୁ ରକ୍ଷା କରିବା ପାଇଁ ଅହରହ ସଂଗ୍ରାମ କରିବା ସହିତ ତାଙ୍କ ଲେଖନୀ ମାଧ୍ୟମରେ ସମାଜରେ ଏକ ବୈପ୍ଳବୀକ ପରିବର୍ତନ ଆଣିବା ପାଇଁ ସର୍ବଦା ଚେଷ୍ଟିତ ଥିଲେ । ତାଙ୍କ ଭାଷାଜ୍ଞାନ, ସାହିତ୍ୟ ଓ ତାଙ୍କର ଅମର ରଚନାଗୁଡ଼ିକ ଆଜିବି ପ୍ରତ୍ୟେକ ଘରେ ବିଦ୍ୟମାନ । ସେ ଥିଲେ ପ୍ରଥମ ଆଧୁନିକ ଓଡ଼ିଆ ଗଳ୍ପ ‘ରେବତୀ’ ର ସ୍ରଷ୍ଟା । ତାଙ୍କର ଅମର କୃତୀଗୁଡ଼ିକ ମଧ୍ୟରେ ଛ’ମାଣ ଆଠଗୁଣ୍ଠ, ଡାକମୁନିନୀ, ପେଟେଂଟ୍ ମେଡିସିନ୍‌, ଧୂଳିଆ ବାବା ପ୍ରମୁଖ । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ପ୍ରଭାବ ସମଗ୍ର ଓଡ଼ିଶାରେ ଦେଖିବାକୁ ମିଳିଛି ଓ ସରକାରଙ୍କ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଛି ବୋଲି ଅଧ୍ୟକ୍ଷ ମତ ଦେଇଥିଲେ । ଓଡ଼ିଶାର ପୂଜ୍ୟପୂଜା ହେଉଛି ପାତାଳଭେଦୀ ସଂସ୍କୃତି । ଏହି ପରିପ୍ରେକ୍ଷୀରେ ମହାପୁରୁଷ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତିର ସୁରକ୍ଷା ପାଇଁ ରାଜ୍ୟବାସୀ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରାଯାଇଥିଲା । ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମରେ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ସଂଗଠନର ସଦସ୍ୟଙ୍କ ସହିତ ଅଭିଯାନର ଆବାହକ କିଷନ ବରାଇଙ୍କ ସମେତ ଓଡ଼ିଆ ଭାଷାପ୍ରାଣ, ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀ, ସୀତାବଲ୍ଳଭ ମହାପାତ୍ର, ନାରାୟଣ ଚନ୍ଦ୍ର ଓଝା, ନବ କିଶୋର ପ୍ରଧାନ, ଲକ୍ଷ୍ମଣ ଦାସ, ପ୍ରମୋଦ କୁମାର ଦେବ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନାରାୟଣ ଖୁଂଟିଆ, ମଦନ ମୋହନ ପାଢ଼ୀ, ସମୀତା ମହାରଣା, ସଂଗ୍ରାମ କେଶରୀ ବଳିୟାରସିଂହ, ବି. ମୂରଲୀଧର, ସିଂତାଶୁ ଶେଖର ମହାରଣା, ଶିବ ଶଙ୍କର ଡାକୁଆ, ଲଗ୍ନଦୀପା ମିଶ୍ର, ସଂଜୟ ପରିଡ଼ା, ତନ୍ମୟ ସାମନ୍ତରାୟ, ଗଙ୍ଗାରାଣୀ ଜେନା, ଯମୁନା ରାଣୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ