୫ ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ପୁଣି ଆଉ ଏକ ଅନ୍ତଃରାଜ୍ୟ ରାକେଟକୁ ଧରିବାରେ ସଫଳ ହୋଇଛି ଆର୍‌.ଉଦୟଗିରି ପୋଲିସ । ଗୋଟିଏ ଟ୍ରକରେ ୨ କ୍ୱିଣ୍ଟାଲ ୭୦ କେଜି ଗଞ୍ଜେଇ ସହ ଗୋଟିଏ ମେକ୍ସପିକଅପକୁ ଜବତ କରିବା ସହ ୫ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଝାଡଖଣ୍ଡ ରାଜ୍ୟର ଧାନବାଦ ଜିଲ୍ଲା ଚିରକୁଣ୍ଡା ଥାନା ଅନ୍ତର୍ଗତ ଚର୍ଚ୍ଚପଟେରୀ ଗ୍ରାମର ରାମ ରତନ ଯାଦବ, ବିହାର ରାଜ୍ୟର ଜାମୁଇ ଜିଲ୍ଲା ସୁକିନ୍ଦରା ଥାନା ଅନ୍ତର୍ଗତ ରିସିଦ୍ଧି ଗ୍ରାମର ଅମିର ଯାଦବ, ଆର୍‌.ଉଦୟିରି ଥାନା ଅନ୍ତର୍ଗତ ତଲଡା ଗ୍ରାମର ପ୍ରଦୀପ କିଶୋର ଦଳାଇ(ଟିମା), ଜୀବନ ଦୀପ ଲିମା(ଜାନ) ଏବଂ ଛେଳିଗଡ ଗ୍ରାର ତପନ ପାଣି । ଆଜି ସକାଳୁ ଛେଲ୍ଲାଗଡ ଜଙ୍ଗଲରୁ ଏକ ମେକ୍ସ ପିକ୍‌ଅପ ଭ୍ୟାନ ଏସକୋର୍ଟ କରି ଗଞ୍ଜେଇ ଭରା ଟ୍ରକ ଛେଲିଗଡ ପଟୁ ରାମଗିରି ଦେଇ ଝାଡଖଣ୍ଡ ଯାଉଥିବାବେଳେ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଏବଂ ଆର୍‌.ଉଦୟଗିରି ଥାନା ଅଧିକାରୀ ମମତା ନାୟକଙ୍କ ତତ୍ୱାବଧାନରେ ଛେଳିଗଡ ଛକରେ ପୋଲିସ ଟିମ ଅପେକ୍ଷା କରି ଧରିଥିଲେ । ପୋଲିସର ଯାଞ୍ଚ ବେଳେ ଟ୍ରକର ଗୁପ୍ତ କେଭିନରୁ ୫୨ ଗୋଟି ପ୍ୟାକେଟ ଗଞ୍ଜେଇ ବାହାରିଥିଲା । ଘଟଣା ସ୍ଥଳରେ ଆର୍‌.ଉଦୟଗିରି ତହସିଲଦାର ତଥା ମାଜିଷ୍ଟ୍ରେଟ ସ୍ମୃତିରଞ୍ଜନ ଶତପଥି ଉପସ୍ଥିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିବାବେଳେ ୨୭୦ କେଜି ଥିବାର ଜଣାପଡିଥିଲା । ଯାହାକି ବାହାର ରାଜ୍ୟର ବଜାରରେ ଆନୁମାନିକ ମୂଲ୍ୟ ୧ କୋଟି ୮୦ହଜାରରୁ ଉର୍ଦ୍ଧ ହେବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ମମତା ନାୟକ । ଗଞ୍ଜେଇ ଚୋରାଚାଲାଣ ବେଳେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେଥି ମଧ୍ୟରୁ ୩ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ଦୁଇ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ବୋଲି ଜଣାପଡିଛି । ତେବେ ଗତ କିଛି ଦିନ ପୂର୍ବେ ଏହି ଗଞ୍ଜେଇ ଚୋରାଚାଳଣ ଥମିଥିବାବେଳେ ବର୍ତ୍ତମାନ ପୁଣି ସକ୍ରିୟ ହୋଇପଡିଛନ୍ତି ମାଫିଆମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ