୫-ଟି ସଚିବଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ)- ୫-ଟି ସଚିବ ଭି.କେ.ପାଣ୍ଡିଆନ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଫେରିଯାଇଛନ୍ତି । ପୂର୍ବାହ୍ନ ସାଢେ୯ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିତ ତଥା ୫-ଟିସଚିବ ଭି. କାର୍ତ୍ତକେୟନ ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ରାଜ୍ୟ ସ୍ୱସ୍ଥ୍ୟମିଶନ ସଚିବ ଶାଳିନୀ ପଣ୍ଡିତ ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚିବା ପରେ ସେଠାରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉର୍ମିଳା ମିଶ୍ର ସେମାନଙ୍କୁ ସ୍ୱାଗତ କରିଥିଲେ । ସେମାନେ ପ୍ରଥମେ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗ ସହିତ ନିରାମୟ ଔଷଧ ବଣ୍ଟନକେନ୍ଦ୍ରକୁ ଯାଇ ବୁଲି ଦେଖିବା ସହିତ ରୋଗୀ ଓ ସେମାନଙ୍କ ଆଟେଣ୍ଡାଂଟଙ୍କ ଠାରୁ ସମସ୍ୟା ଓ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ । ରୋଗୀ ଚିକିତ୍ସାରେ ଅବହେଳାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ଏବଂ ସେଥିରେ ଅବହେଳା କରୁଥିବା ଡାକ୍ତର ଏବଂ ଡାକ୍ତରଖାନା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ସତର୍କ କରାଇଦେବା ସହିତ ଅସମ୍ପୂର୍ଣ୍ଣ ହୋଇ ପଡିଥିବା କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଶ୍ରୀ ପାଣ୍ଡିଆନ ନିରାମୟ ଔଷଧ ବଣ୍ଟନ କେନ୍ଦ୍ର ପରିଦର୍ଶନକରି ରୋଗୀମାନଙ୍କ ପାଇଁ ଗଚ୍ଛିତ ଥିବା ଔଷଧକୁ ବୁଲି ଦେଖିଥିଲେ । ଜିଲ୍ଲା ଚକ୍ଷୁ ବିଭାଗକୁ ଯାଇ ଦୀର୍ଘ ଦିନ ଧରି ବନ୍ଦ ଥିବା ଚକ୍ଷୁ ବିଭାଗର ଅସ୍ତ୍ରୋପଚାର କେନ୍ଦ୍ରକୁ ତୁରନ୍ତ ଚାଲୁ କରିବା ଏବଂ ଆବଶ୍ୟକ ସଂଖ୍ୟକ ଚକ୍ଷୁ ବିିଶେଷଜ୍ଞ ପଦବୀ ପୂରଣ କରିବାକୁ ପାଣ୍ଡିଆନ ପ୍ରତିଶ୍ରୂତି ଦୋଇଥିଲେ । ଏହା ପରେ କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀୟଙ୍କ ଦର୍ଶନ କରି ଶାମଗୁଡିଆ ଠାରେ ନିର୍ମାଣାଧିନ ୩ଶହ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ବିଭାଗ ଡାକ୍ତରଖାନା ଗୃହକୁ ବୁଲି ଦେଖିଥିଲେ । ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ୨୦୨୦ ମଧ୍ୟରେ ସାରିବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।


