୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର ୬୨ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ୧୯୫୯ମସିହା ଅକ୍ଟୋବର ୨୧ତାରିଖ ଦିନ ସି.ଆର.ପି.ଏଫ.ର ୧୦ଜଣ କର୍ତ୍ତବ୍ୟନିଷ୍ଠ ଜବାନ ଲଦାଖଠାରେ ଭାରତସୀମା ଉଲ୍ଲଙ୍ଘନ କରିବାକୁ ପ୍ରୟାସ କରୁଥିବା ଚୀନ ଦେଶର ସୈନ୍ୟ ବାହିନୀ ସହିତ ଯୁଦ୍ଧ କରି ମାତୃଭୂମିର ସେବାରେ ପ୍ରାଣବଳୀ ଦେଇଥିଲେ । ୧୯୬୦ମସିହା ଜାନୁଆରୀ ମାସରେ ଦେଶର ସମସ୍ତ ଆରକ୍ଷୀ ମହାନିରୀକ୍ଷକମାନଙ୍କର ଅନୁଷ୍ଠିତ ସମ୍ମିଳନୀରେ ଏହି ଦିବସକୁ ସହିଦ ଦିବସ ରୂପେ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ଏବଂ ଅନ୍ୟାନ୍ୟ ପୋଲିସ ପ୍ରତିଷ୍ଠାନମାନଙ୍କରେ ପାଳନ କରିବାକୁ ନିଷ୍ପତି ନିଆଯାଇଥିଲା । ସେହିଦିନ ଠାରୁ ପ୍ରତିବର୍ଷ କର୍ତ୍ତବ୍ୟ କରୁଥିବା ସମୟରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ପୋଲିସମାନଙ୍କ ସ୍ମୃତି ଉଦେଶ୍ୟରେ ବା ରାଷ୍ଟ୍ର ପାଇଁ ସର୍ବୋଚ ତ୍ୟାଗ ସ୍ୱୀକାର କରିଥିବା ବୀର ପୋଲିସମାନଙ୍କ ସ୍ମୃତି ଉଦେଶ୍ୟରେ ୧୯୬୦ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି । ଦେଶର ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଏହି ବୀର ପୋଲିସମାନେ ବୀରତ୍ୱ ସହିତ କର୍ତ୍ତବ୍ୟ ସମ୍ପାଦନ କରି ସେମାନଙ୍କ ଦାୟିତ୍ୱ ନିର୍ବାହ କରିଥାନ୍ତି । ତେଣୁ ଗତ ବର୍ଷକ ମଧ୍ୟରେ କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରାଣବଳି ଦେଇଥିବା ଦେଶର ୩୭୭ଜଣ ବୀର ପୋଲିସ ଏବଂ କରୋନାରେ ପ୍ରାଣବଳୀ ଦେଇଥିବା ୨୨ଜଣଙ୍କ ମଧ୍ୟରୁ ଓଡିଶାର ୪ଜଣ ପୋଲିସଙ୍କ ପ୍ରତି ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡକରଙ୍କ ସମେତ ଅତିରିକ୍ତ ଏସପି ହରେଶ ପାଣ୍ଡେ, ଅତିରିକ୍ତ ଏସପି ଇନ୍ଦ୍ରମଣୀ ବେହେରା, କେନ୍ଦ୍ରାପଡା ଏସ. ଡି. ପି. ଓ. ରାଜୀବ ଲୋଚନ ପଣ୍ଡା, ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ଡିଏସପି ପି. କେ. ମିଶ୍ର, ସହକାରୀ କମାଣ୍ଡାଣ୍ଟ ସୁରେନ୍ଦ୍ର କୁମାର ନାୟକ, ରିଜର୍ଭ ଇନିସପେକ୍ଟର ହେମନ୍ତ କୁମାର ଦାସ, ଟାଉନ ଥାନା ଇନସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଏସ.ପି. ଶ୍ରୀ ମଡକର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ । ପୋଲିସ ରିଜର୍ଭ ପଡିଆରେ ଏହି ଉପଲକ୍ଷେ ଅନୁଷ୍ଠିତ ପ୍ୟାରେଡରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ