୮ବର୍ଷ ହେଲା ସରୁନି ବିଦ୍ୟୁତ ସବଷ୍ଟେସନ କାମ; ଆନ୍ଦୋଳନ ଧମକ

ହାଟଡିହି ,(ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲ ହାଟଡିହି ବ୍ଲକ ଶାଳଣିଆଁ ଠାରେ ଦୀର୍ଘ ୮ବର୍ଷ ହେଲା ୩୩/୧୧ ବିଦ୍ୟୁତ ସବଷ୍ଟେସନ କାମ ଚାଲିଥିବାବେଳେ ଆଜି ପର୍ଯ୍ୟନ୍ତ କାମ ସମ୍ପୁର୍ଣ୍ଣ ହୋଇପାରିଲାନି । ଏହି ସମୟ ମଧ୍ୟରେ ଅନ୍ୟ ସ୍ଥାନରେ ନିର୍ମାଣ ହୋଇଥିବା ସବଷ୍ଟେସନ ଗୁଡିକ କାର୍ଯ୍ୟକ୍ଷମ ହୋଇସାରିଥିବାବେଳେ ଏଠାରେ କାମ ସରିବାର ନାଁ ଧରୁନି । ଫଳରେ ଲୋକମାନେ ବିଦ୍ୟୁତ ପାଇଁ ନାନା ସମସ୍ୟା ଭୋଗ କରୁଥିବାବେଳେ ମାସର ଅଧିକାଶଂ ଦିନ ଶାଳଣିଆଁ ଅଞ୍ଚଳବାସୀ ଅନ୍ଧକାରରେ କାଳାତିପାତ କରୁଛନ୍ତି । ଖବରରୁ ଜଣାଯାଇଛି ଯେ ହାଟଡିହି ଅଞ୍ଚଳରେ ୪ଗୋଟି ୩୩/୧୧କେଭି ବିଦ୍ୟୁତ ସବଷ୍ଟେସନ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା । ତତ୍କାଳୀନ ବିଧାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ଥର ସ୍ଥାପନ ପରେ ଛେନାପଦି ସବଷ୍ଟେସନ ଦଧିବାନପୁର ଠାରେ ନିର୍ମାଣ ହୋଇ ଦୁଇବର୍ଷ ହେଲା କାର୍ଯ୍ୟକ୍ଷମ ହୋଇସାରିଥିବାବେଳେ ଢ଼େଙ୍କା ସବଷ୍ଟେସନ ମଧ୍ୟ କାର୍ଯ୍ୟକ୍ଷମ ହୋଇ ବିଦ୍ୟୁତ ଯୋଗାଣ କରାଯାଇଛି । କିନ୍ତୁ ଦୀର୍ଘବର୍ଷ ଧରି ଶାଳଣିଆଁ ବିଦ୍ୟୁତ ସବଷ୍ଟେନ କାର୍ଯ୍ୟ ଚାଲିଛି ଯେ ସରିବାର ନାଁ ଧରୁନି । ଏହି ବିଦ୍ୟୁତ ସବଷ୍ଟେସନରୁ ଶାଳଣିଆଁ, ଡଅଁର, ଗେଡମା, ଆଇତିପୁର, ଷଡଙ୍ଗ, ହାବଳେଶ୍ୱର ଆଦି ପଞ୍ଚାୟତକୁ ବିଦ୍ୟୁତ ଯୋଗାଣ ପାଇଁ ଯୋଜନା ଥିବାବେଳେ କାମ ସରୁନଥିବାରୁ ଲୋକମାନେ ନାହିଁ ନଥିବା ଅସୁିଧାର ସମୁଖୀନ ହେଉଛନ୍ତି । ଦିନେ ବିଦ୍ୟୁତ ରହିଲେ ଆଉ ୪ଦିନ ଅନ୍ଧାର । ସାମାନ୍ୟ ବର୍ଷା କି ପବନ ହେଲେ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଦିଆଯାଉଛି ଯେ ଆଉ ଆସିବାର ନାଁ ଧରୁନି । ନାନା ସମସ୍ୟା ଭିତରେ ଶାଳଣିଆଁ ଅଞ୍ଚଳବାସୀ ଥିବାବେଳେ ବିଦ୍ୟୁତ ବିଭାଗ ଏନେଇ କୌଣସି ଠୋସ ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଠିକାଦାର ଗତ ବର୍ଷେହେବ କାମ ବନ୍ଦ କରିଦେଇଥିବାବେଳେ ଏହି ସବଷ୍ଟେସନଟି କାର୍ଯ୍ୟକ୍ଷମ ହେବାନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି । ତୁରନ୍ତ ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତପକ୍ଷ ଏନେଇ ଦୃଷ୍ଟି ନଦେଲେ ଆସନ୍ତା ୧୫ଦିନ ଭିତରେ ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ପୁର୍ବତନ ସମିତି ସଭ୍ୟ ବିରେନ୍ଦ୍ର କୁମାର ବିଶ୍ୱାଳ, ପୁର୍ବତନ ସରପଞ୍ଚ ଅନାଥ ନାୟକ, ରଙ୍ଗାଧର ମଲ୍ଲିକ, ଶ୍ରୀଧର ସାହୁ, ରଞ୍ଜନ କୁମାର ପହି, ପ୍ରତାପ ଦେଓ, ଆନନ୍ଦ ଚରଣ ମହାନ୍ତି, ବରଦା ପ୍ରସନ୍ନ ନାୟକ, ପ୍ରଦୀପ କୁମାର ଜେନା, ମାନସ ବେହେରା, ପଦ୍ମନାଭ ନାୟକ, ନୀଳକଣ୍ଠ ମହାକୁଡ, ଅଭୟ ସେଠୀ, ବ୍ରଜ କିଶୋର ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ବିଦ୍ୟୁତ ବିଭାଗର ସହକାରୀଯନ୍ତ୍ରୀ ମହେଶ୍ୱର ନାୟକଙ୍କୁ ପଚାରିବାରେ ସେ ଶାଳଣିଆଁ ୩୩/୧୧ ବିଦ୍ୟୁତ ସବଷ୍ଟେସନର ସମସ୍ତ କାମ ପ୍ରାୟତ ସରିଯାଇଛି । କିଛି ସ୍ଥାନୀୟ ସମସ୍ୟା ଯୋଗୁଁ ଓ କୋଭିଡ ପାଇଁ କାମ ସମ୍ପୁର୍ଣ୍ଣ ହୋଇ ପାରୁନି । ଯଥାଶିଘ୍ର ଆମେ ଏହି ସମସ୍ୟାକୁ ସମାଧାନ କରି ବିଦ୍ୟୁତ ସଂଯୋଗ ଦେବାପାଇଁ ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ