୮ରୁ ବାଲେଶ୍ୱର ପଲିଶ୍ରୀ ମେଳା ପ୍ରଶାସନ ପକ୍ଷରୁ ପ୍ରାଚୀରପତ୍ର ଉନ୍ମୋଚିତ

ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲା ପ୍ରଶାସନ ଓ ‘ଓରମାସ’ର ମିଳିତ ସହଯୋଗରେ ଆସନ୍ତା ୮ତାରିଖରୁ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଆରମ୍ଭ ହେବାକୁ ଯାଉଥିବା ‘ବାଲେଶ୍ୱର ପଲିଶ୍ରୀ ମେଳା-୨୦୨୨’ ପ୍ରସ୍ତୁତି ଜୋରଦାର ହୋଇଛି । କୋଭିଡ କଟକରଣା ପାଇଁ ଦୀର୍ଘ ଦୁଇବର୍ଷ ଧରି ବନ୍ଦ ରହିଥିବା ଏହି ମେଳାକୁ ଚଳିତ ବର୍ଷ ସର୍ବାଙ୍ଗ ସୁନ୍ଦର ତଥା ଆକର୍ଷଣୀୟ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ ହୋଇଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଗୁରୁବାର ସୂଚନା ଦେଇଛନ୍ତି । ଆସନ୍ତା ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ପଲିଶ୍ରୀ ମେଳା ଚାଲିବ । ପ୍ରତ୍ୟେହ ପୂର୍ବାହ୍ଣ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହା ଲୋକଙ୍କ ପାଇଁ ଖୋଲା ରହିବ । ଏଥିରେ ବିଭିନ୍ନ ପ୍ରକାର ୩ଶହରୁ ଊର୍ଦ୍ଧ୍ୱ ଷ୍ଟଲ ଖୋଲାଯିବ । ବିଶେଷ କରି ବାଲେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲାରୁ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଷ୍ଟଲ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଉଥିବା ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି । ଏଥି ସହିତ ରାଜ୍ୟ ତଥା ରାଜ୍ୟ ବାହାରର ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ, କାରିଗରଙ୍କ ସାମଗ୍ରୀ ପୂର୍ଣ୍ଣ ଷ୍ଟଲ ମଧ୍ୟ ଖୋଲା ଯିବ । ତେବେ ବାଲେଶ୍ୱର ସହରର ୨୦ରୁ ଅଧିକ ହୋଟେଲଙ୍କ ଦ୍ୱାରା ଏହି ମେଳାରେ ଫୁଡ୍‍ ଷ୍ଟଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ଛୋଟ ଛୋଟ ପିଲାଙ୍କ ମନୋରଞ୍ଜନ ପାଇଁ ଦୋଳି, ଚକ୍ରି, ମୀନାବଜାରର ବ୍ୟବସ୍ଥା କରାଯାଉଛି । ପ୍ରତି ସଂଧ୍ୟାରେ ବାଲେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲାରୁ ସାଂସ୍କୃତିକ ଟ୍ରୁଫ ଦ୍ୱାରା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ଅନ୍ୟାନ୍ୟ ଜିଲାର ଜିଲାପାଳଙ୍କ ସହ ଆଲୋଚନା ହୋଇଥିବା ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି । ତେବେ ଏହି ୫ଦିନିଆ ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଇଟିଆଇ ପଡ଼ିଆରେ ୨ଗୋଟି ଗେଟ ଥିବା ବେଳେ ଆଉ ଦୁଇଟି ଜରୁରିକାଳୀନ ଫାଟକ ଖୋଲଯିବାକୁ ଧାର୍ଯ୍ୟ ହୋଇଛି । ଏଥି ସହିତ ଏହି ମେଳାରେ ଅଧିକ ସଂଖ୍ୟାରେ ମହିଳା ଗୋଷ୍ଠୀ ସାମିଲ ହେଉଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ମହିଳା ପୁଲିସ ବ୍ୟବସ୍ଥା କରାଯାଉଛି । ମୋଟ ଉପରେ ୨ବର୍ଷ ପରେ ହେବାକୁ ଯାଉଥିବା ଏହି ମେଳାକୁ ଅଧିକ ଉପଭୋଗ୍ୟ ଓ ସର୍ବାଙ୍ଗସୁନ୍ଦର କରିବା ପାଇଁ ଜିଲାପାଳଙ୍କ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଷ୍ଟଲ ବୁକିଂ ସମେତ ମେଳା ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ଏକାଧିକ ଅଧିକାରୀ ନିଯୁକ୍ତ ହୋଇଥିବା ସେ କହିଛନ୍ତି । ଏହି ଅବସରରେ ମେଳା ସମ୍ପର୍କିତ ଏକ ପ୍ରାଚୀରପତ୍ରକୁ ପ୍ରଶାସନ ପକ୍ଷରୁ ଉନ୍ମୋଚନ କରାଯାଇଥିଲା । ଜିଲା ପରିଷଦ ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଓ ଭାବେଶ କୁମାର ନାୟକ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ