ୱାର୍ଡସଭ୍ୟଙ୍କ ଜାଲ୍ ଦସ୍ତଖତ କରି ଗାଁ ସାଥି ଚୟନ ବିରୋଧରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ
ଛତ୍ରପୁର, (ଦେବଦତ୍ତ ମହାରଣା):ପଲ୍ଲୀସଭା ନ କରି ୱାର୍ଡସଭ୍ୟାଙ୍କ ସମେତ ଗ୍ରାମବାସୀଙ୍କ ଜାଲ୍ ଦସ୍ତଖତ କରି ଗାଁ ସାଥି ଚୟନ କରାଯାଇଥିବାକୁ ବିରୋଧ କରି ବୁଧବାର ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି । ଏହାସହ ପଞ୍ଚାୟତର ବିଭିନ୍ନ ବୈଠକ କିମ୍ବା ଉନ୍ନୟନମୂଳକ କାର୍ଯ୍ୟରେ ପଞ୍ଚାୟତ ସମିତିସଭ୍ୟ ଏସ୍.ଚକ୍ରପାଣି ରେଡ୍ଡୀଙ୍କୁ ଅଣଦେଖା କରାଯାଉଛି । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଝୁରି ନାୟକଙ୍କ ଏଭଳି ବିଭିନ୍ନ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସମିତିସଭ୍ୟ, ୱାର୍ଡସଭ୍ୟାଙ୍କ ସମେତ ଗ୍ରାମବାସୀ ଆନ୍ଦୋଳନ କରିଥିଲେ । ସୂଚନା ପାଇଁ ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା ଓ ଚମାଖଣ୍ଡି ଥାନା ସେକେଣ୍ଡ ଅଫିସର ମାନସୀ ସାହୁ ଘଟଣା ସ୍ଥଳେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟ ତାଲା ଖୋଲି ବିଡିଓ ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ୱାର୍ଡସଭ୍ୟା ଆର୍.ପ୍ରେମଲତା ରେଡ୍ଡୀ ଅଭିଯୋଗ କରିଥିଲେ ଯେ, ଗାଁ ସାଥୀ ଚୟନ ପାଇଁ କୌଣସି ପଲ୍ଲୀସଭା ହୋଇନାହିଁ କିମ୍ବା ଏବିଷୟରେ କିଛି ସୂଚନା ନାହିଁ । କିନ୍ତୁ ପଞ୍ଚାୟତ ଖାତାରେ ମୋ ନାମରେ ଜାଲ୍ ଦସ୍ତଖତ କରି ପଲ୍ଲୀସଭା କରାଯାଇ ଗାଁ ସାଥୀ ଚୟନ ହୋଇଛି । ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏହାସହ ସମିତିସଭ୍ୟ ଏସ୍.ଚକ୍ରପାଣି ରେଡ୍ଡୀ ତାଙ୍କୁ ଦୀର୍ଘ ୧ ବର୍ଷ ଧରି ପଞ୍ଚାୟତରେ ଅଣଦେଖା କରାଯାଉଛି । କୌଣସି ପଞ୍ଚାୟତ ବୈଠକ କିମ୍ବା ଅନ୍ୟାନ୍ୟ କାର୍ଯ୍ୟରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଉନାହାନ୍ତି । ସରପଞ୍ଚଙ୍କ ସମେତ ୱାର୍ଡମେମ୍ବର ହ୍ୱାଟସପ୍ ଗ୍ରୁପରେ ତାଙ୍କୁ ସାମିଲ କରାଯାଇ ନାହିଁ । ଏହାସହ ପଞ୍ଚାୟତ ପଲ୍ଲୀସଭା ବୈଠକ ଖାତାର ୪୨ ନମ୍ବର ପୃଷ୍ଠାରେ ୧୯.୯.୨୦୨୨ରେ ବର୍ତ୍ତମାନର ସରପଞ୍ଚ ଏସ୍.ସଞ୍ଜୀବ ରେଡ୍ଡୀଙ୍କ ଦସ୍ତଖତ ସହ ପଲ୍ଲୀସଭା ହୋଇଥିବା ଦର୍ଶାଇ ଯାଇଥିବା ବେଳେ ୪୭ ନମ୍ବର ପୃଷ୍ଠାରେ ୧୯.୩.୨୦୨୦ରେ ପୂର୍ବତନ ସରପଞ୍ଚ ରେବତୀ ପ୍ରଧାନ ଓ ପୂର୍ବତନ ନାଏବ ସରପଞ୍ଚ ଏମ୍.ରଘୁନାଥ ରେଡ୍ଡୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନଙ୍କ ଦସ୍ତଖତ ଥାଇ ପଲ୍ଲୀସଭା ହୋଇଥିବା ଦର୍ଶାଯାଇଛି । ଯାହା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ପରିଚାଳନା ହେଉଥିବା ପଞ୍ଚାୟତ ପଲ୍ଲୀସଭା ବୈଠକ ବିବରଣୀ ଖାତାରୁ ହସ୍ତଗତ ହୋଇଛି । ଏଣୁ ପଞ୍ଚାୟତରେ କିଭଳି ମନମୁଖୀ ବେଆଇନ କାର୍ଯ୍ୟ ଚାଲିଛି । ଏଥିରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କାହା ଚାପରେ ଏଭଳି କାର୍ଯ୍ୟ କରୁଛନ୍ତି ତାହାକୁ ନେଇ ବିଡିଓ ଶ୍ରୀ ପଣ୍ଡାଙ୍କ ଠାରେ ସମିତିସଭ୍ୟ ଶ୍ରୀ ରେଡ୍ଡୀ ଅଭିଯୋଗ କରିଥିଲେ । ଏହାସହ ବେଆଇନ ଭାବେ ଗାଁ ସାଥୀ ଚୟନ କରାଯାଇଥିବା ପ୍ରସ୍ତାବକୁ ରଦ୍ଦ କରିବା ପାଇଁ ଦାବି କରିଥିଲେ । ଏଦିଗରେ ସେ ଚିକିନିଖଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଡିଓ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ଓହରିଥିଲେ ।


