ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ତ୍ରୟୋଦଶ ବାର୍ଷିକ ସମ୍ମିଳନୀ
ଛତ୍ରପୁର(ଓ୍ବାଇଏନଏସ): ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଛତ୍ରପୁର ଶାଖାର ତ୍ରୟୋଦଶ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ପବ୍ଲିକ ସ୍କୁଲ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଶାଖା ସଭାପତି ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ଦୀର୍ଘକାଳୀନ ସରକାରୀ ସେବା ଓ ଅକ୍ଲାନ୍ତ ପରିଶ୍ରମକୁ ପ୍ରଶଂସା କରିଥିଲେ। ଅବସର ପରେ ପରିବାର ସହ ସମୟ ବିତାଇବା ସହ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ବିଧାୟକ ପରାମର୍ଶ ଦେଇଥିଲେ। ଏଥିସହ ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ଓ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଛତ୍ରପୁର ପୌରପରିଷଦ ଉପାଧ୍ୟକ୍ଷ ଜି. ପାପା ରାଓ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସେବା ଓ ସହଯୋଗ ପାଇଁ ସେ ସର୍ବଦା ପ୍ରସ୍ତୁତ ଥିବା କହିଥିଲେ। ଶାଖା ସମ୍ପାଦକ ସୋମନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବରିଷ୍ଠ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଗଞ୍ଜାମ ଜିଲ୍ଲା ସଂଘ ସଭାପତି ଡ. ଇନ୍ଦୁଭୂଷଣ ପଟ୍ଟନାୟକ, ରାଧେ ଶ୍ୟାମ ଫାଉଣ୍ଡେସନ ସଭାପତି ଦେବାଶିଷ ମିଶ୍ର ଓ ଛତ୍ରପୁର ରୋଟାରୀ କ୍ଲବ ସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନେ ସଂଘର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ଚନ୍ଦ୍ର ପଲାଇ, ନିରଞ୍ଜନ ତ୍ରିପାଠୀ, ସଂଘ ଉପଦେଷ୍ଟା ନରସିଂହ ଆଚାରୀଙ୍କ ସମେତ ବହୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ। ଡ. ପ୍ରଶାନ୍ତ କୁମାର ଶତପଥୀ ମଞ୍ଚ ପରିଚାଳନା କରିଥିଲେ।


