୨୦ କିମି ଦୂରରେ କାଡା ବିଭାଗ କାର୍ଯ୍ୟାଳୟ: ଅସୁବିଧା ଭୋଗୁଛନ୍ତି ଚାଷୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ସଦର ମହକୁମା ଠାରୁ ଦୀର୍ଘ ୨୦ କିମି ଦୂରରେ ଭଦ୍ରକ ମୁଖ୍ୟାଳୟ ଠାରେ କାଡା ବିଭାଗ କାର୍ଯ୍ୟାଳୟ ଥିବାରୁ ଚାଷୀମାନେ ନିଜର ସମସ୍ୟା ଜଣାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀ ମାନଙ୍କ ସୁବିଧା ନିମନ୍ତେ ପ୍ରତି ବ୍ଲକରେ ଜଳ ସେଚନ ଓ କାଡା ବିଭାଗର କାର୍ଯ୍ୟାଳୟ ପ୍ରତିଷ୍ଠା କରି ସୁବିଧାରେ ଚାଷୀମାନଙ୍କ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଏପରିସ୍ଥଳେ ଗତ ୨୦୦୩ ମସିହାରେ ବନ୍ତ ଜଳ ସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ କାଡା ବିଭାଗର ସବ୍ ଡିଭିଜିନାଲ କାର୍ଯ୍ୟାଳୟ ଖୋଲା ଯାଇ ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ଆସୁଥିଲା । ମାତ୍ର ଗତ ୨୦୧୦ ମସିହା ପରେ ଏହି ସବ୍ ଡିଭିଜିନାଲ କାର୍ଯ୍ୟାଳୟକୁ ବନ୍ତରୁ ଭଦ୍ରକକୁ ସ୍ଥାନାନ୍ତର କରାଯାଇଥିଲା । ଫଳରେ ଚାଷୀ ମାନେ ଦୀର୍ଘ ୨୦ କିମି ଦୂର ରାସ୍ତା ଅତିକ୍ରମ କରି ନିଜର ଅଭିଯୋଗ ପ୍ରକାଶ କରିବାରେ ସମସ୍ୟା ସୃଷ୍ଟି ହୋଇଛି । ପ୍ରକାଶ ଥାଉକି, କାଡା ବିଭାଗ ଜଳ ସେଚନ ବିଭାଗର ଏକ ଅଂଶ ବିଭାଗ ଅଟେ । ବନ୍ତ ବ୍ଲକରେ ଜଳ ସେଚନ ବିଭାଗର ୨ଟି ସେକ୍ସନ ଅଫିସ ପରିଚାଳିତ ହେଉଥିବା ବେଳେ ଏହା ଅଧିନରେ ପ୍ରାୟ ୩୯ଟି ପାଣି ପଞ୍ଚାୟତ କାର୍ଯ୍ୟ କରୁଛି । ସମସ୍ତ ଜମିକୁ ସୁବିଧାରେ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ଜଳ ସେଚନ ବିଭାଗର ଯେପରି ଭୂମିକା ରହିଛି ସେପରି କାଡା ବିଭାଗର ମଧ୍ୟ ସମାନ ଭୂମିକା ରହିଛି । ଏପରିସ୍ଥଳେ ବନ୍ତ ବ୍ଲକରେ କାଡା ବିଭାଗର କାର୍ଯ୍ୟାଳୟ ପୂର୍ବରୁ ବନ୍ତରେ ଥିବା ବେଳେ ଚାଷୀ ମାନେ ନିଜର ସମସ୍ୟା ସମ୍ପର୍କରେ ଅଭିଯୋଗ କରିଆସୁଥିଲେ । ବର୍ତ୍ତମାନ କାଡା ବିଭାଗର କାର୍ଯ୍ୟାଳୟକୁ ଭଦ୍ରକ ସ୍ଥାନାନ୍ତର କରାଯାଇଥିବାରୁ ଚାଷୀ ମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ