୩୦ତମ ରୁଚି ପ୍ରତିଭା ସମ୍ମାନ ସମାରୋହ-୨୦୨୬
କଟକ, (ଓ୍ବାଇଏନଏସ): ସୁଦୀର୍ଘ ତିନି ଦଶନ୍ଧି ଧରି ରାଜ୍ୟ ଏବଂ ଦେଶର କୃତବିଦ୍ୟା ପ୍ରତିଭା ମାନଙ୍କୁ ଗୋଟିଏ ମଂଚରେ ସମ୍ମାନିତ କରି ପ୍ରତିଭା ପୂଜନ କ୍ଷେତ୍ରରେ ଏକ ନିଆରା ପରମ୍ପରା ସୃଷ୍ଟି କରିଥିବା ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଚଳିତବର୍ଷର ୩୦ତମ ରୁଚି ପ୍ରତିଭା ସମ୍ମାନ ସମାରୋହ । ସାନ୍ତାଳୀ ଭାଷାର ବିଶିଷ୍ଟ ଲେଖକ ତଥା ଆଦିବାସୀ ସଂସ୍କୃତିର ବର୍ଷୀୟାନ ଗବେଷକ ପଦ୍ମଶ୍ରୀ ଚରଣ ହେମ୍ବ୍ରମଙ୍କୁ ଚଳିତବର୍ଷ ପ୍ରଦାନ କରାଯିବ ସମ୍ମାନଜନକ ରୁଚି ଦେଶ ଗୌରବ ସମ୍ମାନ । ବିଶିଷ୍ଟ ଶିଳ୍ପଦ୍ୟୋଗୀ ତଥା ‘ରୁଚି’ର ପ୍ରତିଷ୍ଠାତାଙ୍କ ସ୍ମୃତିରେ ପ୍ରବର୍ତ୍ତୀତ ପ୍ରଥମ ଡ. ଶରତ କୁମାର ସାହୁ ସ୍ମାରକୀ ସମ୍ମାନ ପ୍ରଦାନ କରାଯିବ ବିଶିଷ୍ଟ ଉଦ୍ୟୋଗପତି ତଥା ସାଂସଦ ଜିଲ୍ଲୀପ ରାୟଙ୍କୁ । ସଂଗୀତ ଗାୟନ କ୍ଷେତ୍ରରେ ଦେଶର ସୁକଣ୍ଠି ଗାୟିକା ତଥା ଚଳିତବର୍ଷର ଇଣ୍ଡିଆନ ଆଇଡ଼ଲ ବିଜୟିନୀ ବିଶିଷ୍ଟ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକଙ୍କୁ ପ୍ରଦାନ କରାଯିବ ରୁଚି ଦେଶ ଜ୍ୟୋତି ସମ୍ମାନ । ଓଡ଼ିଶାରେ ଜୈବିକ କୃଷିର ବିକାଶ ଏବଂ ପରିବେଶର ସୁରକ୍ଷା ପାଇଁ ସମର୍ପିତା ଜନସେବୀ ସାବରମତୀଙ୍କୁ ରୁଚି ସେବା ଜ୍ୟୋତି ସମ୍ମାନ, ବିଶିଷ୍ଟ କ୍ରୀଡ଼ାବିତ୍ ତଥା ଭାରତୀୟ ମହିଳା ହକିର ପ୍ରାକ୍ତନ ଉପ ଅଧିନାୟିକା ଅଲମ୍ପିଆନ୍ ଦୀପ୍ ଗ୍ରେସ୍ ଏକ୍କାଙ୍କୁ ପ୍ରଦାନ କରାଯିବ ରୁଚି ବାରବାଟୀ କ୍ରୀଡ଼ା ସମ୍ମାନ । ଚଳିତବର୍ଷ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ସାତ୍ଵିକ ସତ୍ୟକାମ ଦେବତାଙ୍କୁ ରୁଚି ବିଦ୍ୟାସାଗର ସମ୍ମାନ ଏବଂ ରାଜ୍ୟର ମାଟ୍ରିକ ଟପ୍ପର ଦୁଇ କୃତିବିଦ୍ୟାର୍ଥୀ ଆଶୁତୋଷ ନାୟକ ଏବଂ ପାର୍ଥସାରଥୀ ମହାନ୍ତଙ୍କୁ ରୁଚି ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ । ଏହି ସମାରୋହରେ ଭାରତୀୟ ସେନାବାହିନୀର ପୂର୍ବତନ ସହ-ସେନାଧ୍ଯକ୍ଷ ତଥା ନୂଆଦିଲ୍ଲୀସ୍ଥିତ ସଶସ୍ତ୍ରବାହିନୀ ନ୍ୟାୟାଧିକରଣର ପ୍ରଶାସନିକ ସଦସ୍ୟ ଲେଫ୍ଟନାଂଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ଉଦ୍ଘାଟକ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ମୁଖ୍ୟଅତିଥି ଏବଂ ଓଡ଼ିଆ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ବିଶିଷ୍ଟ ଅତିଥି ଭାବେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ରାଜ୍ୟର ଖ୍ୟାତନାମା ଶିକ୍ଷୋଦ୍ୟୋଗ ‘ ରୁଚି ଫୁଡ୍ଲାଇନ’ ଦ୍ୱାରା ସଂସ୍ଥାପିତ ତ୍ରୁଟି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ଆଗାମୀ ସେପ୍ଟେମ୍ବର ୧୨ ତାରିଖ ଦିନ କଟକର ଶହୀଦ ଭବନଠାରେ ସନ୍ଧ୍ୟା ୫ଟାରେ ଆୟୋଜିତ ୩୦ତମ ରୂଚି ପ୍ରତିଭା ସମ୍ମାନ ସମାରୋହରେ ଦେଶର ଏହି ବିଶିଷ୍ଟ ପ୍ରତିଭାବାନ ବ୍ୟକ୍ତିତ୍ଵମାନଙ୍କୁ ସମ୍ମାନିତ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ରୁଚି ପ୍ରତିଭା ଫାଉଣ୍ଡେସନର ସଭାପତି ତଥା ‘ରୁଚି’ର ପରିଚାଳନା ନିର୍ଦେଶକ ଅରବିନ୍ଦ ସାହୁ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ରାଜ୍ୟରେ ଶିଳ୍ପପ୍ରଗତି ଓ ବିକାଶ ପାଇଁ ରୁଚି ଉଦ୍ୟୋଗ ଦୀର୍ଘ ୫୧ ବର୍ଷ ଧରି କାର୍ଯ୍ୟକରି ଆସୁଥିବା ବେଳେ ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ରାଜ୍ୟର ମେଧାବୀ ଛାତ୍ରଛାତ୍ରୀ, ଯୁବପ୍ରତିଭା ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରି ନିଜେ ଗୌରବାନ୍ବିତ ହୋଇଛି । ଏହା ସହିତ ପ୍ରତିଭା ଚୟନ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳ କ୍ଷେତ୍ରରେ ନବସୃଜନ, ଯୁବ ଉଦ୍ୟୋଗୀ, କିଚେନ୍ କୁଇନ୍ ଓ କଳା ଓ ସଂସ୍କୃତି ବର୍ଗରେ ୪ଜଣ ଉଦୀୟମାନ ପ୍ରତିଭାଙ୍କୁ ଚୟନ କରାଯାଇ ରୁଚି ଦମଦାର ଓଡ଼ିଆ ସମ୍ମାନରେ ସମ୍ମାନିତ କରାଯିବା ନେଇ ସେ ଘୋଷଣା କରିଥିଲେ । ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ‘ଆମରୁଚି’ର ସ୍ୱତନ୍ତ୍ର ପ୍ରତିଭା ବିଶେଷାଙ୍କ ମଧ୍ୟ ଉନ୍ମୋଚିତ ହେବ । ଆୟୋଜିତ ଏହି ସମାରୋହରେ ବିଶିଷ୍ଟ ପ୍ରତିଭାମାନଙ୍କୁ ଅଙ୍ଗବସ୍ତ୍ର ଓ ସମ୍ମାନଫଳକ ପ୍ରଦାନ ସହିତ ସମ୍ମାନିତ କରାଯିବ ଏବଂ ଏହାସହିତ କୃତୀ ବିଦ୍ୟାର୍ଥୀଙ୍କୁ ଅର୍ଥରାଶି ପୁରସ୍କାର ସହ ସମ୍ମାନିତ କରାଯିବ । ସାମ୍ବାଦିକ ସମ୍ମିଳନୀରେ ‘ରୁଚି’ର ଅଧ୍ଯକ୍ଷା ଶ୍ରୀମତୀ ସଙ୍ଗୀତା ସାହୁ, ନିର୍ଦ୍ଦେଶିକା ସଲିନା ସାହୁ, ନିର୍ଦ୍ଦେଶିକା ରଶ୍ମୀ ସାହୁ ଓ ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ରୁଚି ପ୍ରତିଭା ଫାଉଣ୍ଡେସନର ସଂପାଦକ ଶୁଭେନ୍ଦୁ କୁମାର ଭୂୟାଁ ଚଳିତବର୍ଷର କୃତି ପ୍ରତିଭାମାନଙ୍କ ସହିତ ଅନୁଷ୍ଠାନର ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ରୁଚିର ମାର୍କେଟିଂ ବିଭାଗର ମୁଖ୍ୟ ଦେବଦତ୍ତ ସା, ରାଜେଶ କୁମାର ସାହୁ ଓ ‘ହ୍ଵାଇଟ୍ କାନଭାସ୍’ର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


