ଗଞ୍ଜାମ ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍ପିଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ଏସ୍ପି ହରିଶ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ଅପରାଧ ସ୍ଥିତି, ବିଭିନ୍ନ ମାମଲାର ତଦନ୍ତ, ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ବିଭିନ୍ନ ଥାନାରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ସ୍ଥିତି ସମୀକ୍ଷା କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଅପରାଧୀଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ଏସ୍ପି ଶ୍ରୀ ବିଶି ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅପରାଧ ନିୟନ୍ତ୍ରଣ ସହ ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ବିଶେଷ ଆଲୋଚନା ହୋଇଥିଲା। ଏହା ସହିତ ଜେଲ୍ରୁ ଫେରିଥିବା ଅପରାଧୀ, ପେସାଦାର ଅପରାଧୀ ଓ ହାର୍ଡକୋର୍ ଅପରାଧୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଆବଶ୍ୟକସ୍ଥଳେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ଥାନା ଅଧିକାରୀମାନଙ୍କୁ କୁହାଯାଇଥିଲା। ବୈଠକରେ ଅତିରିକ୍ତ ଏସ୍ପି, ଡିଏସ୍ପି, ଏସ୍ଡିପିଓ ଗଣ ଓ ବିଭିନ୍ନ ଥାନାର ଅଧିକାରୀମାନେ ଉପସ୍ଥିତ ଥିଲେ।


