କାହିଁକି ନଭୁଞ୍ଜ
ଷାଠିଏ ପଉଟି
ଭୋଗ ବାଢିଥିଲି
କିଛି ତ ଛୁଇଁନ ହରି,
କୁହ ତେବେ କେଉଁ
ଅପରାଧେ ମୋର
ଭୋଗ ଅଛି ସେହିପରି ।
ମନେ ଭାବିଲ କି
ମନେ ମୁଁ ଭାବୁଛି
ଖାଇଲେ ନଦେବି ମୁହିଁ,
ମନେପକା ପ୍ରଭୁ
କ୍ଷୀରି ଖାଇଥିଲ
ଦେଲି ଉଣା କରିନାହିଁ ।
ଆହୁରି ଭାବ କି
ଖାଉ ନାହଁ ବୋଲି
ଷାଠିଏ ପଉଟି ଦେଉ,
ତୁମରି ନାଆଁରେ
ଆମେ ଖାଇଦେଇ
ତୁମେ ଖାଅ ବୋଲି କହୁ ।
ଏତେ କଥା ଯେବେ
ମନେ ଅଛି ପ୍ରଭୁ
ଖୋଲି କରି କହି ଦିଅ,
ଆନନ୍ଦ ବଜାର
କାହିଁକି ଗଢିଛ
ତାର ଗୁଢ ତତ୍ତ୍ବ କୁହ ।
ଯେଉଁଠି ଏକାଠି
ଆନନ୍ଦେ ଖାଆନ୍ତି
ଚଣ୍ଡାଳ ହାତୁ ବ୍ରାହ୍ମଣ,
ଜାତି ଭେଦ ନାହିଁ
ଅଇଁଠା ନୁହଁଇ
ଶ୍ରୀମହାପ୍ରସାଦ ନାମ ।
ଏବେ ମୁଁ ବୁଝୁଛି
ନଭୁଞ୍ଜି ବ୍ଯଞ୍ଜନ
ବାସ୍ନାକୁ ଶ୍ରଦ୍ଧାରେ ନିଅ,
ଶ୍ରୀମହାପ୍ରସାଦ
ଖୁଆଇବା ପାଇଁ
ନୀଳାଚଳେ ବସିଥାଅ ।
ଗଦାଧର ସାହୁ,
ବ୍ରହ୍ମଗିରିର,ପୁରୀ