ଉତ୍କଳୀୟ ନବବର୍ଷ : ମହାବିଷୁବ ସଂକ୍ରାନ୍ତି

ଉତ୍କଳୀୟ ନବବର୍ଷ : ମହାବିଷୁବ ସଂକ୍ରାନ୍ତି
ବିପିନ ବିହାରୀ ମହାନ୍ତି
ସୂର୍ଯ୍ୟସ୍ଥିର । ସୂର୍ଯ୍ୟ ଚାରିପଟେ ପୃଥିବୀ ଘୁରୁଛି ଅଥଚ ସୂର୍ଯ୍ୟଙ୍କର ଅବାସ୍ତବ ଗତିକୁ ଧରି ଆମେ ସୌରବର୍ଷ ଗଣନା କରୁଛୁ । ସୂର୍ଯ୍ୟଙ୍କର ଅବାସ୍ତବ ଗତିପଥକୁ ସୌର ପଥ କୁହନ୍ତି । ଏହି ପଥ ସଂପୂର୍ଣ୍ଣ ବୃତ୍ତାକାର ନ ହୋଇ ଉପବୃତ୍ତାକାର ବା ଅଣ୍ଡାକାର ଅଟେ । ଏହି ଅଣ୍ଡାକାର ପଥ ରାଶି ଦୃଷ୍ଟିରୁ ବାର ଭାଗ ଅଟନ୍ତି ଏବଂ ପଦ ଦୃଷ୍ଟିରୁ ଚାରିପଦ ଅଟନ୍ତି । ଏମାନେ ବିଷ୍ଣୁପଦ ଭାବେ ନାମିତ । ଏହି ପଦଗୁଡ଼ିକ ମାର୍ଚ୍ଚ ୨୧, ଜୁନ୍ ୨୧, ସେପ୍ଟେମ୍ବର ୨୩ ଏବଂ ଡ଼ିସେମ୍ବର ୨୨ ସହିତ ସମ୍ପର୍କିତ । ମାର୍ଚ୍ଚ ୨୧ ଓ ସେପ୍ଟେମ୍ବର ୨୩ ଦିନ ସୂର୍ଯ୍ୟ ବିଷୁବ ପଦ ବା ବିଷୁବ ରେଖାଉପରେ ଅବସ୍ଥାନ କରୁଥିବାରୁ ଏହି ଦିନ ପୃଥିବୀର ସର୍ବତ୍ର ଦିବାରାତ୍ର ସମାନ ରୁହେ । ଅର୍ଥାତ୍ ସୂର୍ଯ୍ୟ ସକାଳ ୬ଟାରେ ଉଦୟ ହୋଇ ସଂଧ୍ୟା ୬ଟାରେ ବୁଡ଼ନ୍ତି । ମାର୍ଚ୍ଚ ୨୧ ତାରିଖକୁ ବାସନ୍ତୀକା ବିଷୁବ ବା ମହାବିଷୁବ କୁହାଯାଏ କାରଣ ଏହା ପ୍ରାୟତଃ ବସନ୍ତ ଋତୁରେ ପଡ଼େ । ସେପ୍ଟେମ୍ବର ୨୩କୁ ଶାରଦୀୟ ବା ଜଳ ବିଷୁବ କୁହନ୍ତି । ମହାବିଷୁବ ବା ଜଳବିଷୁବ ନିରକ୍ଷ ବୃତ୍ତ ଏବଂ କ୍ରାନ୍ତିବୃତ୍ତର ଗୋଟିଏ ଗୋଟିଏ ଛେଦବିନ୍ଦୁ । କ୍ରାନ୍ତି କହିଲେ ଗ୍ରହମାନଙ୍କର ଗତିପଥକୁ ବୁଝାଏ ।
ମାର୍ଚ୍ଚ ୨୧ ତାରିଖ ଠାରୁ ସୂର୍ଯ୍ୟଙ୍କର ବିଷୁବ ରେଖାରୁ ଉତ୍ତର ଦିଗକୁ ଗତିହୁଏ ଏବଂ ଜୁନ୍ ୨୧ରେ ଯେଉଁ କାଳ୍ପନିକ ବିନ୍ଦୁ ଉପରେ ଅବସ୍ଥାନ କରନ୍ତି ତାକୁ କର୍କଟ କ୍ରାନ୍ତି କୁହନ୍ତି । ସେହିଠାରୁ ପୁଣି ଦକ୍ଷିଣାୟନ ଗତି ଆରମ୍ଭ ହୁଏ ବିଷୁବ ରେଖା ଆଡ଼େ ଏବଂ ସେପ୍ଟେମ୍ବର ୨୩ରେ ସୂର୍ଯ୍ୟ ପୁନର୍ବାର ବିଷୁବ ରେଖା ଉପରେ ଅବସ୍ଥାନ କରନ୍ତି ଓ ପୁନର୍ବାର ଦିନରାତି ସର୍ବତ୍ର ସମାନ ରୁହେ । ଏହା ପରଠୁ ପୁଣି ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଡିସେମ୍ବର ୨୨ ଯାଏଁ । ତୁଳା ସଂକ୍ରାନ୍ତି ଦିନ ଠାରୁ ପୁଣି ସୂର୍ଯ୍ୟଙ୍କର ଫେରନ୍ତା ଗତି ବିଷୁବ ରେଖାକୁ ଏବଂ ୨୧ ମାର୍ଚ୍ଚ ଦିନ ପୁନଶ୍ଚ ଦିବାରାତ୍ର ସମାନ । ସଂକ୍ରାନ୍ତି ଘରକୁ ଧରି ୧୨ ରାଶିକୁ ୪ଭାଗରେ ବିଭକ୍ତ କରାଯାଇଛି । ଯଥା ବିଷୁବ : ମେଷ ଓ ତୁଳା, ଅୟନ : କର୍କଟ ଓ ମକର , ଷଡ଼ଶୀତି : ମିଥୁନ, କନ୍ୟା, ଧନୁ ଓ ମୀନ, ଏବଂ ବିଷ୍ଣୁପଦୀ : ବୃଷ, ସିଂହ, ବିଛା ଓ କୁମ୍ଭ । ‘ଅୟନ’ କହିଳେ ନିର୍ଦ୍ଦିଷ୍ଟ ବିନ୍ଦୁର କୌଣସି ସ୍ଥାନକୁ ଗତି । ଜୁନ ୨୧ରେ ସୂର୍ଯ୍ୟ କର୍କଟ କ୍ରାନ୍ତି ଓ ଡିସେମ୍ବର ୨୨ରେ ମକର କ୍ରାନ୍ତି ଉପରେ ଅବସ୍ଥାନକରନ୍ତି । ଏହି ଦିନଗୁଡ଼ିକରେ ଯଥାକ୍ରମେ ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧରେ ଦିନବଡ଼ ଏବଂ ବିପରୀତ କ୍ରମେ ଗତି ଅବସ୍ଥାନ ନେଇ ରାତି ଛୋଟ । ସଂକ୍ରାନ୍ତି ଏକ ପବିତ୍ର ଦିବସ । ଏହିଦିନ ବ୍ରତ, ଉପବାସ ଏବଂ ଦାନ ଧର୍ମ କଲେ ପୁଣ୍ୟଫଳ ମିଳେ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ସବୁ ସଂକ୍ରାନ୍ତି ଅପେକ୍ଷା ମହାବିଷୁବ ସଂକ୍ରାନ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସୂର୍ଯ୍ୟପୂଜନର ଏକ ମାହେନ୍ଦ୍ର ମୁହୂର୍ତ୍ତ । ଆମେ ତାଙ୍କୁ ନିମ୍ନମତେ ପ୍ରାର୍ଥନା କରୁ : ହେ ସୂର୍ଯ୍ୟଦେବ! ଆଜି ଉଦୟ ହେବା ସଂଗେ ସଂଗେ ଆପଣ ଆମକୁ ନିଷ୍ପାପ କରି ଦିଅନ୍ତୁ । ହେ ଅଦିତେ, ଆମେ ମିତ୍ରବରୁଣା ଦେବଙ୍କର ପ୍ରିୟପାତ୍ର ହେଉ । ହେ ଆଦ୍ୟମିନ୍ (ଦାତା)! ଆମେ ଆପଣଙ୍କର କୃପାର ପ୍ରିୟପାତ୍ର ହେଉ । ହେ ଆର୍ଯ୍ୟମାନ୍! ଆପଣଙ୍କର କୃପାଲାଭ କରିବା ପାଇଁ ଆମେ ପ୍ରାର୍ଥନା କରୁଛୁ । ଆସନ୍ତୁ ଆମେ ସେହି ସୂର୍ଯ୍ୟଙ୍କୁ ଉପଲବ୍ଧ କରିବା, ସେ ଆଲୋକ ପ୍ରଦାନକାରୀଙ୍କୁ ଧ୍ୟାନ କରିବା । ଅଦିତିଙ୍କ ପୁତ୍ର ଆଦିତ୍ୟ ଆମକୁ ଜ୍ଞାନାଲୋକରେ ଭାସ୍କର କରନ୍ତୁ ।
ଭାସ୍କରାୟ ବିଦ୍ମହେ ମହଦ୍ୟୁତିକରାୟ ଧୀମହି, ତନ୍ମୋ ଆଦିତ୍ୟଃ
ପ୍ରଚୋଦୟାତ୍ । (ଗାୟତ୍ରୀ)
ବିଷୁବ ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କର ଅବାସ୍ତବ ଉତ୍ତରାୟଣ ଗତି ଆରମ୍ଭ ହୁଏ । ରାଶିଚକ୍ରରେ ଏହାହିଁ ପ୍ରଥମ ଦିନ । ଏହା ମଧ୍ୟ ମେଷରାଶିର ପ୍ରଥମ ଦିବସ । ଭାରତୀୟ ପ୍ରାମାଣିକ ସମୟର ସମୟ ନିର୍ଘଣ୍ଟ ମେଷ ସଂକ୍ରାନ୍ତି ରୂପେ ବିଦିତ । ଏହିଦିନ ସର୍ବ ନିୟନ୍ତା ସର୍ବ ପ୍ରାଣ ଏବଂ ସର୍ବକର୍ତ୍ତା ମହିମମୟ ସୂର୍ଯ୍ୟଙ୍କର ସ୍ୱାଗତିକା ଗାନ କରାଯାଏ । ତାଙ୍କ ସ୍ୱାଗତିକା ପାଇଁ କି ମଠ ! କି ମନ୍ଦିର! କି ହିନ୍ଦୁଗୃହ ଚଳ ଚଞ୍ଚଳ ହୋଇଉଠେ । ନୂତନ ପୋଷାକ ପରିଧାନ ପୂର୍ବକ ଆମେ ତାଙ୍କୁ ସ୍ୱାଗତ କରୁ ।
ଓଡ଼ିଆ ସଂସ୍କୃତି ଜଗନ୍ନାଥ ସଂସ୍କୃତିକୁ ବୁଝାଏ । ଏଣୁ ଶ୍ରୀ ମନ୍ଦିରରୁ ହିଁ ସବୁ ଆରମ୍ଭ । ପ୍ରତ୍ୟୁଷରୁ ପାରମ୍ପରିକ ରୀତିରେ ପଣା ପ୍ରସ୍ତୁତ ହୁଏ । ଗ୍ରୀଷ୍ମର ଆଦ୍ୟ ହେତୁ ପଣାରେ ଥଣ୍ଡା ଏବଂ ସ୍ୱାସ୍ଥ୍ୟକର ଦ୍ରବ୍ୟ ବ୍ୟବହାର କରାଯାଏ । ବିଶେଷକରି କଞ୍ଚା ଆମ୍ବ, ପାଚିଲା ଆମ୍ବରସ, ପାଚିଲା ବେଲ, ନଡ଼ିଆ, ଛେନା, କ୍ଷୀର, ଦହି, ନବାତ, ଗୁଡ଼, ଆଖୁରସ, ଗୋଲମରିଚ, କାଜୁ, କିସ୍ମିସ୍, ସାକରକନ୍ଦ ଏବଂ ଅନେକ କିଛି । ଏହିଦିନ ସାଂଗସାଥୀ ଏବଂ ବନ୍ଧୁବାନ୍ଧବମାନଙ୍କୁ ଘରକୁ ସ୍ୱାଗତ କରି ପଣାରେ ଆପ୍ୟାୟିତ କରାଯାଏ । ଏହା ଏକ ଦିବସ ବ୍ୟାପୀ କାର୍ଯ୍ୟକ୍ରମର ସାମାଜିକ ପର୍ବ । ସଂଧ୍ୟାକୁ ବିଭିନ୍ନ ସ୍ଥାନରେ ସାହିତ୍ୟ ଚର୍ଚ୍ଚା, କବିତା ପାଠୋତ୍ସବ, ସଂଗୀତ ଆସର ଏବଂ ନୃତ୍ୟଗୀତ ଇତ୍ୟାଦିର ଆୟୋଜନ ହୋଇଥାଏ ।
ପଦ୍ମପୁରାଣ , ସ୍କନ୍ଦ ପୁରାଣ, ମତ୍ସ୍ୟ ପୁରାଣ, ଭବିଷ୍ୟ ପୁରାଣ, ବ୍ରହ୍ମାଣ୍ଡ ପୁରାଣ, ଜ୍ୟୋତି ଏବଂ ଆୟୁର୍ବେଦ ଶାସ୍ତ୍ରମାନଙ୍କରେ ମଧ୍ୟ ମହାବିଷୁବ ସଂକ୍ରାନ୍ତିର ପ୍ରଶସ୍ତିଗାନ କରାଯାଇଛି । ଆୟୁର୍ବେଦ ଶାସ୍ତ୍ରରେ ଚିକିତ୍ସା ସଂପର୍କରେ ଲେଖାଅଛି :
ମସୁରଂ ନିମ୍ବପତଂ ଚ ଯୋଽଭି ମେଷଗତେରବୌ
ଅତି ରୋଷାନ୍ୱିତସ୍ତସ୍ୟ ତକ୍ଷକଃ କିଂ କରିଷ୍ୟତି ।ା
ଅର୍ଥାତ୍ ମେଷ ସଂକ୍ରାନ୍ତି (ମହାବିଷୁବ) ଦିନ ସମପରିମାଣ ମସୁର ଓ ନିମ୍ବପତ୍ର ଚୋବାଇ ଖାଇଲେ, ବର୍ଷେଯାଏ ବିଷାକ୍ତ ସର୍ପର ଦଂଶନକୁ ରୋକିବାର ଶକ୍ତି ଲାଭ ହୁଏ ।
ମହାବିଷୁବ (ବାସନ୍ତୀକା) ସଂକ୍ରାନ୍ତିକୁ ଓଡ଼ିଶାରେ ପଣାସଂକ୍ରାନ୍ତି, ବଙ୍ଗଳାରେ ଚୈତ୍ର ସଂକ୍ରାନ୍ତି, ଉତ୍ତର ଭାରତରେ …. ସଂକ୍ରାନ୍ତି, କେରଳରେ ବିଷୁ, ପଞ୍ଜାବରେ ବୈଶାଖି, ମଣିପୁରରେ ଚୈରୋବା, ତାମିଲ ନାଡ଼ୁରେ ମୋଷାତି ଇତ୍ୟାଦି ନାମରେ ପାଳିତ ହୁଏ ।
ଓଡ଼ିଶା ନବବର୍ଷ ଏହି ସଂକ୍ରାନ୍ତି ଠାରୁ ଆରମ୍ଭ ହୁଏ । ଏହି ଦିନଠାରୁ ବାର୍ଷିକ ପାଞ୍ଜିର ଆରମ୍ଭ । ଗାଁ ଗହଳିରେ ପାଞ୍ଜିପାଠ ହୁଏ । ସୂର୍ଯ୍ୟ ଓ ଅଗ୍ନିଙ୍କର ସଂପର୍କ ଏକାକାର ହେତୁ ଓଡ଼ିଶାରେ ନିଆଁରେ ଚାଲିବା ଝାମୁଯାତ୍ରା, ଦଣ୍ଡନୃତ୍ୟ, ଘଣ୍ଟ ପାଟୁଆ ଏଂ ଆଦିବାସୀ ପରମ୍ପରାରେ ‘କେଡ଼’ ଓ ଝଙ୍ଗଡ଼ି ପର୍ବ ସାନ୍ତାଳମାନଙ୍କର ପାଟ ପର୍ବ ଓ ଶିକାର ପର୍ବ ଇତ୍ୟାଦି ସୂର୍ଯ୍ୟଙ୍କ ସମର୍ପିତ ପର୍ବ । ଏହା ଓଡ଼ିଶାର ପରମ୍ପରା ଓ ସଂସ୍କୃତିର ଏକ ଆନନ୍ଦ ଓ ଉଲ୍ଲାସର ଦିନ ତଥା ହିନ୍ଦୁମାନଙ୍କର ଏକ ମହାନ ପର୍ବ ।

ଅଧ୍ୟକ୍ଷ.
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର, ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ