ଗଜପତିରେ ଜାତୀୟ କନ୍ୟା ସନ୍ତାନ ଦିବସ କନ୍ୟା ସନ୍ତାନର ସୁରକ୍ଷା ନେଇ ସାଧାରଣଙ୍କୁ ଆହ୍ୱାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରାକୁ ଜିଲା ମେଡିକାଲ ଅଫିସର ତଥା ଜିଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ଏଡିପିଏଚ୍ସିଓ ସୁଧୀର କୁମାର ଜେନାଙ୍କ ପରିଚାଳନାରେ ଏଏନ୍ଏମ ପ୍ରଶିକ୍ଷଣ ଛାତ୍ରୀ ଓ ନର୍ସ ମାନେ ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ । ପରେ ପୂର୍ବାହ୍ନ ୧୧ଘଣ୍ଟା ସମୟରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ‘କନ୍ୟା ସନ୍ତାନ ଅମୂଲ୍ୟ ସମ୍ପଦ’ ସମ୍ପର୍କିତ ଏକ ସଚେତନତା ମୂଳକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ପରେ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏଡିପିଏଚ୍ସିଓ ସୁଧୀର କୁମାର ଜେନା ସଭାପତିତ୍ୱ କରି କନ୍ୟା ସନ୍ତାନ ଏକ ଅମୂଲ୍ୟ ସନ୍ତାନ, କନ୍ୟା ନାହିଁ ତ ସଂସାର ନାହିଁ, କନ୍ୟାମାନଙ୍କ ସମାଜ ପ୍ରତି ଏତେ ନିବିଡ ସମ୍ପର୍କ, ଯାହାକୁ ବିଝିବା ବହୁତ କଷ୍ଟକର ଆଦି ସମ୍ପର୍କରେ କହିଥିଲେ । କନ୍ୟା ସନ୍ତାନ ଦ୍ୱାରାହିଁ ସଂସାର ସୃଷ୍ଟି ହୋଇଥାଏ । ଏହି କନ୍ୟା କାହା ପାଇଁ ମାଆ ଓ ଭଉଣୀ ତ କାହାପାଇଁ ଆଉ କଣ ସମ୍ପର୍କ ହୋଇଥାଏ, ତେଣୁ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାଯାନ୍ତା ଯାହା ଫଳରେ ଏହି କନ୍ୟା ସନ୍ତାନ ସବୁ କ୍ଷେତ୍ରରେ ସୁରକ୍ଷିତ ରହିପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ପ୍ରଦୀପ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ କନ୍ୟା ମାନେ ସମାଜରେ ଅସମାନତାର ଶିକାର ହେଉଛନ୍ତି ଏହାକୁ ଦୂର କରି ଶିଶୁ-କନ୍ୟା ମାନେ କିଭଳି ଏକ ସଶକ୍ତ ସୁରକ୍ଷିତ ପରିବେଶ ପାଇପାରିବେ ଏବଂ ସମାଜରେ ବାଳିକା ମାନେ ସାମନା କରୁଥିବା ଅସମାନତାର ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦ୍ୟେଶ ବୋଲି କହିଥିଲେ । ଅନ୍ୟପକ୍ଷରେ ବାଳିକାମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ସମେତ ସମାନ ଓ ଅଧିକାର ଉପରେ ଗୁରୁତ୍ୱ ଦିଆଯିବା ସମ୍ପର୍କରେ କହିଥିଲେ । ଏତଦ ବ୍ୟତୀତ ଭ୍ରୁଣ ନିରୂପଣ କରିବା ଦ୍ୱାରା କନ୍ୟା ସନ୍ତାନ ଜାଣି ତାକୁ ନଷ୍ଟ କରି ଦିଆଯାଉଛି । ଏହା ଯେଉଁ ମାନେ ଏଭଳି ଘୃନ୍ୟ କାଣ୍ଡ କରୁଛନ୍ତି ସେମାନଙ୍କ ପ୍ରତି ରହିଥିବା ଆଇନଗତ ଦଣ୍ଡଭୋଗ ଉପରେ କହିଥିଲେ । ଜିଲା ମେଲେରିଆ ଅଧିକାରୀ ଡାକ୍ତର ଛନ୍ଦା କାନୁନଗୋ ଅନ୍ୟତମ ଅତିଥିଭାବେ ଯୋଗଦେଇ କନ୍ୟାମାନେ କୌଣସି ଗୁଣରେ ହେଲେ ମଧ୍ୟ ପୁରଷଙ୍କ ଠାରୁ କମ ନୁହଁନ୍ତି, କନ୍ୟା ଓ ନାରୀ ଶକ୍ତି ଏକ ଅନୂଲ୍ୟ ରତ୍ନ, ଏହା ଅବର୍ଣ୍ଣନୀୟ ଅଦମ୍ୟ ଓ ଅତୁଳନୀୟ ବୋଲି କହି ମହିଳା ଓ ନାରୀ ମାନେ ସବୁବେଳେ ଓ ସବୁ କ୍ଷେତ୍ରରେ ନିଜ ସଂସ୍କାର ଓ ସଂସ୍କୃତି ପ୍ରତି ଅଧିକ ଯତ୍ନବାନ ହେବା ସମ୍ପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅଧିକାରୀ ସିଦ୍ଧାର୍ଥ କୁମାର ଦାସ ଏବଂ ଆଶା ସହକାରୀ ପରିଚାଳକ ନାରାୟଣ ମଲ୍ଲିକ ମଞ୍ଚାସୀନ ରହି ଆଲୋଚନାରେ ଅଂଶଗ୍ରହଣ କହିଥିଲେ । ଏହି ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ପୂର୍ବରୁ ଅନୁଷ୍ଠିତ ‘କନ୍ୟା ସନ୍ତାନ ଅମୂଲ୍ୟ ସମ୍ପଦ’ ଶୀର୍ଷକ ବିଷୟ ଉପରେ ଏକ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଶେଷରେ ପୁରସ୍କାର ବଣ୍ଟନ କରାଯାଇଥିଲା । ସେହି କୃତି ପ୍ରତିଯୋଗୀ ମାନେ ହେଲେ ଶିଳ୍ପା ରାଣୀ ବିଶୋଇ-ପ୍ରଥମ, ଗୌରୀ ରାଣୀ ଜେନା-ଦ୍ୱିତୀୟ ଏବଂ ଅଞ୍ଜନା ରଥ ଓ ଚଞ୍ଚଳା ବେହେରା-ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଥିବାବେଳେ ୮ଜଣଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ବଣ୍ଟନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଏଡିପିଏଚ୍ସି ସୁଧୀର କୁମାର ଜେନା, ଶିବ ପ୍ରସାଦ ସାହୁ, ଡାଃ ନମିତା ପଣ୍ଡା ପ୍ରମୁଖ ପରିଚାଳନାରେ କରିଥିଲେ ।