ଶାନ୍ତି ସ୍ୱରୂପ ଭଟନାଗର ପୁରସ୍କାର ପ୍ରଦାନ କଲେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ୨୦୧୬, ୨୦୧୭ ଏବଂ ୨୦୧୮ ପାଇଁ ଶାନ୍ତି ସ୍ୱରୂପ ଭଟନାଗର ପୁରସ୍କାର ପ୍ରଦାନ କରିଛନ୍ତି।
ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଜ୍ଞାନ, ପ୍ରଯୁକ୍ତି ଏବଂ ନବସୃଜନ ସମାଜର ଆଶା ଆକାଂକ୍ଷା ଓ ଆବଶ୍ୟକତା ସହିତ ଯୋଡି ହେବା ଆବଶ୍ୟକ। ସେ କହିଥିଲେ ଯେ, ଆମର ବୈଜ୍ଞାନିକ ସଂସ୍ଥାନଗୁଡିକ ଭବିଷ୍ୟତର ଆବଶ୍ୟକତା ସହ ସମନ୍ଵୟ ରକ୍ଷା କରି ସ୍ଥାନୀୟ ସମସ୍ୟାର ସମାଧାନ ସନ୍ଧାନ କରିବା ଆବଶ୍ୟକ।
ବିଗ ଡାଟା, ଯନ୍ତ୍ର ଶିକ୍ଷା, ବ୍ଲକ ଚେନ ଓ କୁତ୍ରିମ ବୌଦ୍ଧିକତା ଭଳି ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ଗବେଷଣା ଏବଂ ବିକାଶର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଆନ୍ତଃବିଷୟକ ସାଇବର ଭୌତିକ ବ୍ୟବସ୍ଥା ଉପରେ ଜାତୀୟ ମିଶନ ଦ୍ଵାରା ଏହି କ୍ଷେତ୍ରରେ ଗବେଷଣା ଏବଂ ବିକାଶରେ ଉନ୍ନତି ଆସିପାରିବ। ସେ ବୈଜ୍ଞାନିକ ସମୁଦାୟକୁ ଚତୁର୍ଥ ଶିଳ୍ପ ବିପ୍ଳବର ଲାଭ ଉଠାଇବା ଲାଗି ଆହ୍ଵାନ କରିଥିଲେ ଏବଂ ଏପରି ପ୍ରଯୁକ୍ତି ବିକାଶ କରିବା ଲାଗି ପରାମର୍ଶ ଦେଇଥିଲେ ଯାହା ଭାରତକୁ ଉତ୍ପାଦନ, ଜ୍ଞାନ ଏବଂ ପ୍ରଯୁକ୍ତି ଆଧାରିତ ଉଦ୍ୟୋଗର ବିଶ୍ଵସ୍ତରୀୟ କେନ୍ଦ୍ରରେ ପରିଣତ କରିବ।
ସୀମିତ ସମ୍ବଳ ସହିତ କାର୍ୟ୍ୟ କରି ମଧ୍ୟ ବୈଜ୍ଞାନିକ ସମୁଦାୟର ବିଶ୍ଵସ୍ତରୀୟ ଉପଲବ୍ଧିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଭାତରୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ବ୍ୟାପକ ଭାବେ ସଫଳ ମହାକାଶ କାର୍ୟ୍ୟକ୍ରମ, ଭାରତୀୟ ଫାର୍ମାସ୍ୟୁଟିକାଲ କ୍ଷେତ୍ରର ଅଭୂତପୂର୍ବ ଅଭିବୃଦ୍ଧି ଏବଂ ବିଭିନ୍ନ ସିଏସଆଇଆର ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ।