ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କୁ ହତ୍ୟା ଅଭିଯୋଗ
କେନ୍ଦ୍ରାପଡା – ସୂଚନା ଅଧିକାର କର୍ମୀ ତଥା ସମାଜସେବୀ ରଞ୍ଜନ କୁମାର ଦାସ ଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବେରୁହାଁ ଗ୍ରାମ ରାସ୍ତାରେ ଘରକୁ ଫେରୁଥିବା ସମୟରେ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ମାର୍ଶାଘାଇ ଥାନାରେ ମୃତକଙ୍କ ଭିଣୋଇ ବଳରାମ ଦାସ ଅଭିଯୋଗ କରିଛନ୍ତି । ବେରୁହାଁ ଗ୍ରାମ ରାସ୍ତା କଡରେ ରଞ୍ଜନ ତଳକୁ ମୁହଁମାଡି ପଡିଥିବା ବେଳେ ତା’ଉପରେ ତା’ର ବାଇକଟି ପଡିଥିବା ଦେଖାଯାଇଥିଲା । ତା’ର ଶବକୁ ପୋଲିସ କାଢିବା ପରେ ରଞ୍ଜନର ଆଖିପତା ଓ ମୁଣ୍ଡରେ ଗଭୀର ଆଘାତଲାଗି ସେଠାରୁ ରକ୍ତବାହାରିଥିବାର ଦେଖାଯାଇଥିଲା । ମାର୍ଶାଘାଇ ଥାନା ଅନ୍ତର୍ଗତ ତାଳସଙ୍ଗା ପଂଚାୟତର ମାଣିପୁର ଗ୍ରାମର ଲକ୍ଷ୍ମୀଧର ଦାସଙ୍କ ପୁଅ ଦଳିତ ଯୁବକ ରଞ୍ଜନ ଦାସ ରାଜ୍ୟ ସୂଚନା ଅଧିକାର ଅଭିଯାନର ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ବେଳେ ଜିଲ୍ଲାର ବିଭିନ୍ନ ଦୁର୍ନୀତି ସମ୍ପର୍କରେ ସୂଚନା ଅଧିକାର ଆଇନରେ ତଥ୍ୟମାଗିବା ସହ ସେସମ୍ପର୍କିତ ତଥ୍ୟ ହାସଲକରିବା ପରେ ବିଭିନ୍ନ ସମୟରେ ସର୍ବସାଧାରଣରେ ତାହା ପ୍ରକାଶ କରିବା ଓ ଆବଶ୍ୟକସ୍ଥଳେ ଓଡିଶା ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରିଥାନ୍ତି । ମହାକାଳପଡା ବ୍ଲକ ଅନ୍ତର୍ଗତ ଜଗତଯୋର ଓ ବଣପଦାରେ ବେଆଇନ ଭାବରେ କରାଯାଇଥିବା ଚିଙ୍ଗୁଡିଘେରୀ,ଆଦ୍ରଭୂମି ସୁରକ୍ଷା,ମହାକାଳପଡାରେ ଅନୁପ୍ରବେଶକାରୀ,ବେଆଇନ ମଦ ଦୋକାନ, ବିଭିନ୍ନ ରାସ୍ତାଘାଟ ନିର୍ମାଣରେ ଅନିୟମିତତା ପ୍ରଭୃତି ସମ୍ପର୍କରେ ତଥ୍ୟମାଗି ତାକୁ ସାର୍ବଜନିନ କରିବା ସହ ଜନସାଧାରଣଙ୍କ ପାଇଁ ଆଇନଗତ ଭାବରେ ମାମଲା ଦାୟର କରିଥାନ୍ତି । ମହାକାଳପଡା ଥାନା ହାଜତରେ ମୁଷା ପାଇଟାଳ ମୃତ୍ୟୁ ଘଟଣାରେ ମଧ୍ୟ ତା’ର ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଏକ ଜନ ଆନ୍ଦୋଳନ ଗଢି ତୋଳିବାରେ ରଞ୍ଜନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ତାକୁ ଜୀବନରୁ ମାରିଦେବାକୁ ବିଭିନ୍ନ ସମୟରେ ଧମକ ଆସୁଥିବା ମଧ୍ୟ ସେ ବିଭିନ୍ନ ସମୟରେ ତାର ବନ୍ଧୁମାନଙ୍କୁ କହିଥିବା ସୂଚନାମିଳିଛି । ସମାଜର ନିମ୍ନସ୍ତରର ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଲଢେଇ ଜାରି ରଖିଥିବା ସୂଚନା ଅଧିକାର କର୍ମୀ ରଞ୍ଜନର ହତ୍ୟା ନେଇ ସାଧାରଣରେ ଗଭୀର ଜନ ଅସନ୍ତୋଷ ପ୍ରକାଶ ପାଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ପ୍ରାୟ ୫ଘଂଟାରୁ ଉର୍ଦ୍ଧ୍ୱ ସମୟ ଅପେକ୍ଷା ପରେ ତାର ଶବକୁ କାଢିବା ନେଇ ସ୍ଥାନୀୟ ଜନସାଧାରଣଙ୍କ ମନରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ଲୋକମାନେ ରଞ୍ଜନ ହତ୍ୟାକାଣ୍ଡର ଉଚ୍ଚ ସ୍ତରୀୟ ତଦନ୍ତ ଓ ତା’ର ପରିବାରକୁ ଉପଯୁକ୍ତ କ୍ଷତିପୁରଣ ଦାବିରେ ପାରାଦୀପ – ଚଣ୍ଡିଖୋଲ ୫ନମ୍ବର ଜାତୀୟ ରାଜପଥକୁ ହଳଦିଆ ଗଡା ନିକଟରେ ଟାୟାରଜାଳି ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦି ବେହେରା,କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା,ଏସପି ନୀତି ଶେଖର ପ୍ରମୁଖ ଖବରପାଇ ପହଁଚିଥିଲେ । ପୋଲିସ ସାଇଂଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲା । ରଞ୍ଜନର ଶବକୁ ବ୍ୟବଛେଦ ନିମନ୍ତେ କଟକ ବଡ ଡାକ୍ତରଖାନାକୁ ପଠାଇଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ସୂଚନା ଅଧିକାର ଅଭିଯାନର ରାଜ୍ୟ ସଂଯୋଜକ ପ୍ରଦୀପ ପ୍ରଧାନ ଖବର ପାଇ ଘଟଣା ସ୍ଥଳରେ ପହଁଚିବା ସହ ଏହି ହତ୍ୟା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସେ ଅଭିଯୋଗ କରିଛନ୍ତି ।


