ନୂଆ ଫିଲ୍ମର ନୂଆ ଲୁକ୍ରେ ଋଚା
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଋଚା ଚଢ଼ା କିଛି ଦିନ ରିଲିଜ୍ ହୋଇଥିବା ଫିଲ୍ମ ‘ପଙ୍ଗା’ରେ କବାଡ୍ଡୀ କୋଚ୍ ଚରିତ୍ରରେ ନଜର ଆସିଥିଲେ। ଅଶ୍ବିନୀ ଅୟର ତିୱାରୀଙ୍କ ନିର୍ଦେଶିତ ଏହି ଫିଲ୍ମରେ ତାଙ୍କ ଚରିତ୍ର ବହୁତ ଇମ୍ପ୍ରେସିଭ୍ ଥିଲା। କିନ୍ତୁ ପ୍ରଶଂସକମାନେ ଋଚାଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବା ଲାଗି ଅପେକ୍ଷା କରିଥିଲେ। ଏହି କ୍ରମରେ ଯଦିଓ ଔପଚାରିକ ଭାବେ ଘୋଷଣା ହୋଇ ନାହିଁ, କିନ୍ତୁ ଋଚା ତାଙ୍କ ଫିଲ୍ମର ଘୋଷଣା କରିଥିବା ଜଣାପଡ଼ିଛି। ଋଚା ନିଜ ଟ୍ବିଟର ହ୍ୟାଣ୍ଡଲରେ ନିଜର ଏକ ନୂଆ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ସିଲ୍କ କଟନ ଶାଢ଼ି ଓ ଚେକ୍ ବ୍ଲାଉଜ୍ ପିନ୍ଧି ପିନ୍ଧିଥିବା ନଜର ଆସୁଛନ୍ତି। ଯଦିଓ କ୍ୟାପ୍ସନ୍ରେ ସେ ଫିଲ୍ମ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି, କିନ୍ତୁ ଅନୁମାନ ଲଗାଯାଉଛି ଯେ ଏହା ଋଚାଙ୍କ ଆଗାମୀ ଫିଲ୍ମର ଲୁକ୍ ହୋଇପାରେ। ଫଟୋରେ ସେ ରଷ୍ଟିକ୍ ଜୁଏଲାରୀ ପିନ୍ଧିଛନ୍ତି। ଋଚାଙ୍କ ଆଗାମୀ ଫିଲ୍ମ ଏକ ଲଭ୍ ଷ୍ଟୋରୀ ଡ୍ରାମା ଫିଲ୍ମ ହେବ ବୋଲି ଅନୁମାନ କରାଯାଉଛି। ରିପୋର୍ଟ ମୁତାବକ ଋଚା କିଛି ଦିନ ତଳେ ଏକ ଫିଲ୍ମପାଇଁ ଲୁକ୍ ଟେଷ୍ଟ କରିଥିଲେ। ଯାହାର ସ୍କ୍ରିପ୍ଟ ତାଙ୍କୁ ବହୁତ ପସନ୍ଦ ଆସିଥିଲା। ଏହି ଫିଲ୍ମର ଅଂଶ ହେବାକୁ ଯାଉଥିବାରୁ ଋଚା ବହୁତ ଉତ୍ସାହିତ ଅଛନ୍ତି। ଋଚା ଏଭଳି ଏକ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି, ଯେମିତି ଚରିତ୍ରରେ ସେ କେବେ ବି ଅଭିନୟ କରି ନାହାନ୍ତି। ଏହି ଫିଲ୍ମରେ ପୂରାପୂରି ଅଲଗା ପରୀକ୍ଷାନିରୀକ୍ଷା କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଋଚା କିଛି ଦିନ ତଳେ ସିଏଏ ଓ ଏନ୍ଆର୍ସିକୁ ବିରୋଧ କରିବା ନେଇ ବହୁତ ଚର୍ଚ୍ଚାରେ ଥିଲେ।


