ବୋହୁର ଆକ୍ରମଣରେ ଶାଶୁ ଗୁରୁତର
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ନୁଆ ରମ୍ପାସ ଗ୍ରାମରେ ବୋହୁର ଆକ୍ରମଣରେ ଶାଶୁ ଗୁରୁତର ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ନୁଆ ରମ୍ପାସ ଗ୍ରାମର ଜୁଳ ସେନାପତି(୭୩)ଙ୍କ ଦୁଇ ପୁଅ କଳାକର ସେନାପତି ଓ ସନାତନ ସେନାପତି ଭିନେ ହୋଇ ଅଲଗା ଅଲଗା ରହୁଛନ୍ତି । ସମ୍ପତ୍ତି ପାଇଁ ଉଭୟଙ୍କ ଭିତରେ ମନୋ ମାଳିନ୍ୟ ଥିବାବେଳେ ମା ଜୁଳ ଭାଗରେ ଥିବା ଜମିରେ ଏକ ବାଉଁଶ ବୁଦାକୁ ନେଇ ଗତ ଦୁଇଦିନ ତଳେ ସାନପୁଅ ସନାତନ ସହିତ ଝଗଡାଝାଟି ହୋଇଥିଲା । ଜୁଳ ଆଜି ସକାଳେ ଶୌଚ ପାଇଁ ଯାଇଥିବାବେଳେ ହଠାତ ସାନବୋହୁ ଶାଶୁ ଜୁଳ ସହିତ ପାଟିତୁଣ୍ଡ କରିବା ସହିତ ତଳେ ପକାଇ ଏକ ପଥରରେ ତାର ମୁହଁକୁ ଆକ୍ରମଣ କରିବା ଫଳରେ ଶାଶୁର ୩/୪ଟି ଦାନ୍ତ ଭାଙ୍ଗି ଯିବା ସହିତ ମୁହଁରୁ ପ୍ରଚୁର ରକ୍ତଶ୍ରାବ ହୋଇଥିଲା । ଜୁଳର ପାଟିଶୁଣି ସାହି ପଡିଶା ଲୋକେ ଦଉଡିଆସି ଜୁଳକୁ ଉଦ୍ଧାର କରିବା ସହିତ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇ ଚିକିତ୍ସା କରାଇଛନ୍ତି । ଶାଶୁ ଜୁଳଙ୍କର ଅବସ୍ଥା ଗୁରୁତର ଥିବା ପରିବାର ଲୋକଙ୍କ ସୁତ୍ରରୁ ଜଣାଯାଇଛି । ଏନେଇ ପରିବାର ଲୋକେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିବାବେଳେ ଘଟଣାର ୧୨ଘଣ୍ଟା ପରେ ମଧ୍ୟ ପୁଲିସ ତଦନ୍ତ ପାଇଁ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ନନ୍ଦିପଦା ଥାନା ଅଧିକାରୀ ପରେଶ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଶାଶୁ ଓ ବୋହୁଙ୍କ ଉଭୟ ପଟରୁ ଅଭିଯୋଗ କରିବାକୁ ଆସିଥିଲେ ମାତ୍ର ତାଙ୍କୁ ପ୍ରଥମେ ମେଡିକାଲ ଯାଇ ଚିକିତ୍ସିତ ହୋଇ ଆସ ବୋଲି କହିଥିଲି । ମାତ୍ର ସନ୍ଧ୍ୟା ସୁଧା କେହି ଅଭିଯୋଗ କରି ନାହାନ୍ତି ବୋଲି କହିଛନ୍ତି ।