ଅତୀତ ଆମର ଥିଲା, ଆଜି ‘ଆପ୍‌’ର, ଭବିଷ୍ୟତ ଆମର ହେବ : ଅଳକା ଲାମ୍ବା

ନୂଆଦିଲ୍ଲୀ : ଦିଲ୍ଲୀରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଅରବିନ୍ଦ କେଜରୀଓ୍ବାଲ। ଏହି ଅବସରରେ ଅରବିନ୍ଦ କେଜରୀଓ୍ବାଲ ‘ହମ୍‌ ହୋଙ୍ଗେ କାମୟାବ୍‌ ଏକ ଦିନ୍‌’ର ଗୀତ ଗାଇଛନ୍ତି। ଏହି ଗୀତକୁ ନେଇ ଟାର୍ଗେଟ କରିଛନ୍ତି ଦିଲ୍ଲୀର କଂଗ୍ରେସ ନେତା ତଥା ଚାନ୍ଦିନୀ ଚୌକର ପୂର୍ବତନ ବିଧାୟିକା ଅଳକା ଲାମ୍ବା। ଅଳକା କହିଛନ୍ତି ଯେ ‘ଆଜି ‘ଆପ୍‌’ କା, କାଲି ଆମର (କଂଗ୍ରେସ)ର ହେବ । କଂଗ୍ରେସ ଦଳରୁ ଆପ୍‌ରେ ଯୋଗଦେଇ ବିଧାୟିକା ହୋଇଥିବାବେଳେ ପୁନର୍ବାର କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅଳକା। ଅଳକା ଟୁଇଟ୍‌ କରି କହିଛନ୍ତି ଯେ, ଅତୀତ ଆମର ଥିଲା, ଆଜି ଆପ୍‌ର ଅଛି ଭବିଷ୍ୟତ ଆମର ହେବ। ଅର୍ଥାତ୍‌ ଅତୀତରେ ଦିଲ୍ଲୀରେ କଂଗ୍ରେସ ଥିଲା, ଆଜି ଆପ୍‌ ଅଛି ଓ ଭବିଷ୍ୟତରେ ପୁଣି ଦିଲ୍ଲୀ କଂଗ୍ରେସର ହେବ। ୭୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ଆପ୍‌ ୬୨ଟି ଆସନ ଜିତିଥିବାବେଳେ କଂଗ୍ରେସ ଶୂନ୍ୟରେ ରହିଛି। ଚଳିତ ଥର କଂଗ୍ରେସର ଭୋଟ୍‌ ସେୟାର ମଧ୍ୟ ପାଞ୍ଚ ପ୍ରତିଶତରୁ କମ୍‌ ରହିଛି। ଲୋକସଭା ନିର୍ବାଚନରେ ଦଳକୁ ପାଖାପାଖି ୨୨ ପ୍ରତିଶତ ଭୋଟ୍‌ ମିଳିଥିଲା। ଦିଲ୍ଲୀ ନିର୍ବାଚନରେ କଂଗ୍ରେସରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାଜ୍ୟ ଅଧ୍ୟକ୍ଷ ସୁଭାଷ ଚୋପ୍ରା ଓ ପିସି ଚାକୋ ଇସ୍ତଫା ଦେବା ପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦିଲ୍ଲୀ କଂଗ୍ରେସର ଭାର ଶକ୍ତି ସିଂହ ଗୋହିଲ୍‌ଙ୍କ ଉପରେ ନ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ, ଅଳକା ପୂର୍ବରୁ କଂଗ୍ରେସରେ ରହିଥିବାବେଳେ ୨୦୧୪ରେ ଆମ୍‌ ଆଦ୍‌ମୀ ପାର୍ଟିରେ ସାମିଲ୍‌ ହୋଇଥିଲେ। ଗତ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଅଳକା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ