କଂଗ୍ରେସରେ ନେତୃତ୍ୱ ସଙ୍କଟ

ନୂଆଦିଲ୍ଲୀ: କଂଗ୍ରେସରେ ନେତୃତ୍ୱ ସଙ୍କଟ ଦେଖାଦେଇଛି । ଦଳର ସାଂଗଠନିକ ଶକ୍ତିକୁ ସୁଦୃଢ଼ କରିବା ଓ ପ୍ରମୁଖ ନେତୃତ୍ୱଙ୍କୁ ଭୋଟ ଦ୍ୱାରା ବାଛିବା ପାଇଁ ଏବେ ଦଳ ଭିତରୁ ସ୍ୱର ଉତ୍ତୋଳନ ହୋଇଛି । ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏବେ ଦଳର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରାୟ ସମୟରେ ଠିକ ରହୁନଥିବାରୁ ରାହୁଲ ଗାନ୍ଧୀ ପୁଣିଥରେ ଅଧ୍ୟକ୍ଷ ହୋଇପାରନ୍ତି ବୋଲି କୁହାଯାଉଛି । ଏହା ମଧ୍ୟ ସ୍ପଷ୍ଟ ହୋଇନି । କିଛି ବରିଷ୍ଠ ନେତା ମଧ୍ୟ ରାହୁଲ ପୁଣିଥରେ ଅଧ୍ୟକ୍ଷ ହେବାକୁ ଚାହୁନାହାନ୍ତି । କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହେବାକୁ ଏବେ ଦଳ ମଧ୍ୟରୁ ସ୍ୱର ଉଠିଛି । ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଶୁକ୍ରବାର ଏକ ଟ୍ୱିଟ କରି କହିଛନ୍ତି, ସଭାପତି ପଦ ପାଇଁ ନିର୍ବାଚନ ହେବା ଦରକାର । ଏନେଇ କଂଗ୍ରେସ କାର୍ଯ୍ୟକାରିଣୀ କମିଟିକୁ ସେ ଅନୁରୋଧ କରିଛନ୍ତି । ସେ କହିଛନ୍ତି ୧୦,୦୦୦ ଏଆଇସିସି ଏବଂ ପିସିସି ପ୍ରତିନିଧିଙ୍କ ଦ୍ୱାରା ଭୋଟ ଗ୍ରହଣ ହେବା ଉଚିତ । କେବଳ ଦଳୀୟ ମୁଖ୍ୟ ପାଇଁ ନୁହେଁ ବରଂ କାର୍ଯ୍ୟକାରିଣୀ କମିଟି ସଦସ୍ୟ ପାଇଁ ବି ଭୋଟ ଗ୍ରହଣ ହେବା ଦରକାର ।
ପୂର୍ବତନ ସାଂସଦ ସନ୍ଦୀପ ଦିକ୍ଷୀତ ନିକଟରେ କହିଥିଲେ, କଂଗ୍ରେସର ବରିଷ୍ଠ ନେତାମାନେ ରାହୁଲଙ୍କୁ ବାଦ ଦେଇ ନେତୃତ୍ୱ ସଙ୍କଟ ଦୂର କରିବା ଦିଗରେ କାର୍ଯ୍ୟ କରିବା ଉଚିତ । ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହାନ କହିଛନ୍ତି, ୧୯୯୮ରେ ସୋନିଆ ଅଧ୍ୟକ୍ଷ ହେବାପରଠାରୁ ସିଡବ୍ଲୁସିରେ ମନୋନୟନ ସଂସ୍କୃତି ପାଇଁ ଦଳ ବହୁତ କ୍ଷତି ସହିଛି । ସିଡବ୍ଲ୍ୟୁସିର ୧୦ ସଦସ୍ୟଙ୍କୁ ନିର୍ବାଚିତ କରିବାପାଇଁ ସେ ଦାବି କରିଛନ୍ତି । ପିଭି ନରସିଂହ ରାଓ ଏବଂ ସୀତାରାମ କେଶରୀଙ୍କ ସମୟରେ ସିଡବ୍ଲ୍ୟୁସିର ୧୦ ଆସନ ପାଇଁ ଭୋଟ ଗ୍ରହଣ ହେଉଥିଲା । ସେଥିପାଇଁ ସେ ସମୟରେ ଭଲ ନେତା ଆସୁଥିଲେ । କିନ୍ତୁ ସୋନିଆ ଦଳର ଅଧ୍ୟକ୍ଷା ହେବାପରଠାରୁ ନିର୍ବାଚନ ପ୍ରକ୍ରିୟା ବନ୍ଦ ହୋଇଗଲା । ଫଳରେ ଭଲ ନେତା ଆସିପାରିଲେନି ବୋଲି ସେ କହିଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିରାପ୍ପା ମୋଇଲି କହିଛନ୍ତି, ବର୍ତ୍ତମାନ ସ୍ଥିତି ଆଗକୁ ଜାରି ରହିପାରିବନି । ଦଳ ଏବେ ନେତୃବୃନ୍ଦମାନଙ୍କୁ ଏକଜୁଟ କରି ନେତୃତ୍ୱ ସଂକ୍ରାନ୍ତ ନିଷ୍ପତ୍ତି ନେବା ଉଚିତ ବୋଲି ସେ କହିଛନ୍ତି । ତେବେ କଂଗ୍ରେସ ପ୍ରବକ୍ତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା କଂଗ୍ରେସରେ ନେତୃତ୍ୱ ସଂକଟ ଥିବା ବିଷୟକୁ ଅସ୍ୱୀକାର କରିଛନ୍ତି । ଦଳର ସଭାପତିଭାବେ ସୋନିଆ ସିଡବ୍ଲ୍ୟୁସି ଦ୍ୱାରା ନିର୍ବାଚିତ ହୋଇଛନ୍ତି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ