ବିସ୍ପୋରଣ ଘଟଣା , ବିପୁଳ ପରିମାଣରେ ବିସ୍ପୋରକ ଜବତ,ଜଣେ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ମଙ୍ଗଳବାର ପୂର୍ବାହ୍ନରେ ହିଂଜିଳି ଥାନା ସୋମପୁର ଗ୍ରାମରେ ଜିଲେଟିନ ବିସ୍ପୋରଣ ଘଟି ୩ ଜଣ ନାବାଳକ ଛାତ୍ର ଗୁରୁତର ଆହତ ହୋଇଥିଲେ । ଉକ୍ତ ଘଟଣାରେ ବୁଧବାର ହିଂଜିଳି ପୋଲିସ ସଂପୃକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଜଣକ ଗ୍ରାମର କୌଳାଶ ଚନ୍ଦ୍ର ଗୌଡ଼ । ଗିରଫ ବ୍ୟକ୍ତିଙ୍କ ଠାରୁ ପ୍ରାୟ ୫୦ କିଲୋ ଓଜନର ବିସ୍ପୋରକ ସାମଗ୍ରୀ ଜବତ କରିଛି । ଏ ନେଇ ଥାନା ନଂ- ୭୨/୨୦ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ହିଂଜିଳି ତହସିଲ ନୂଆଁଗଡ଼ ମୌଜା ଖାତା ନଂ-୫୮୩, ପ୍ଲଟ ନଂ- ୪୨୦୧ରେ ୧.୦୦୦ ପରିମିତ ପଥର ଖାଦାନ ଏରିଆକୁ (ପଥର ଉତୋଳନ ସକାଶେ ) ସଂପୃକ୍ତ ଗ୍ରାମର କୌଳାଶ ଗୌଡ଼ଙ୍କୁ ୫ବର୍ଷ ସକାଲେ ଲିଜ୍ ସୁତ୍ରରେ ପ୍ରଦାନ କରାଯାଇଥିଲା । ଉକ୍ତ ସମୟରେ ସଂପୃକ୍ତ ଖାଦାନରୁ ବିଭିନ୍ନ ସମୟରେ ପଥର ଉତୋଳନ ସକାଶେ ବେଆଇନ ଭାବେ ବିସ୍ପୋରକ ସାମଗ୍ରୀ ବ୍ୟବହୃତ କରି ଆସୁଥିଲେ । ଗତ ୩ମାସ ପୂର୍ବରୁ ଲିଜ୍ ଅବଧି ଶେଷ ହୋଇ ଯାଇଥିଲେ ସୁଦ୍ଧା ବେଆଇନ ଭାବେ ବିସ୍ପୋରକ ସାମଗ୍ରୀ ବ୍ୟବହାର କରି ପଥର କ୍ୱାରୀରୁ ପଥର ଉତୋଳନ କରି ଆସୁଥିଲେ । ବିଭିନ୍ନ ସମୟରେ ବେଆଇନ ଭାବେ ବିସ୍ପୋରକ ସାମଗ୍ରୀ ବ୍ୟବହୃତ କରି ଆସୁଥିବାରୁ ବହୁ ପରିମାଣରେ ବିସ୍ପୋରକ ସାମଗ୍ରୀକୁ ନିଜ ବାସଭବନରେ ରଖିଥିଲେ । ମଙ୍ଗଳବାର ପୂର୍ବାହ୍ନରେ ସଂପୃକ୍ତ ଗ୍ରାମର ୩ ନାବାଳକ ଛାତ୍ର କୌଣସି ମତେ କୌଳାଶଙ୍କ ବାସଭବନରୁ ବିସ୍ପୋରକ ସାମଗ୍ରୀ ନେଇ ଆସିଥିଲେ । ପରେ ବିସ୍ପୋରକ ସାମଗ୍ରୀ (ଜିଲେଟିନ୍) ସହ ବ୍ୟାଟେରି ସଂଯୋଗ କରି ଖେଳୁଥିବା ବେଳେ ବିସ୍ପୋରଣ ଘଟିଥିଲା । ବିସ୍ପୋରଣରେ ପ୍ରଚଣ୍ଡ ଶବ୍ଦ ହେବାରୁ ସ୍ଥାନୀୟ ଗ୍ରାମବାସୀ ଘଟଣା ସ୍ଥଳାକୁ ଦୌଡ଼ିଥିଲେ । ଘଟଣା ସ୍ଥଳରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୩ ନାବାଳକ ଛାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଓ ପରବର୍ତୀ ସମୟରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଘଟଣା ପରେ ହିଂଜିଳି ପୁଲିସ ପ୍ରଶାସନ ଓ ତହସିଲଦାର ସଂପୃକ୍ତ ଗ୍ରାମରେ ପଂହଚି ଘଟଣାର ତଦନ୍ତ କରିଥିଲେ । ତଦନ୍ତ ସମୟରେ ଗ୍ରାମର ଏକ ପରିତ୍ୟକ୍ତ କୁଅରେ କିଛି ପରିମାଣରେ ଜିଲେଟିନ ପଡ଼ିଥିବା ଦେଖିବାକୁ ପାଇଥିଲା । ବୁଧବାର ସଂପୃକ୍ତ ଗ୍ରାମରେ ପୁଲିସ ପଂହଚି କୌଳାଶଙ୍କ ବାସଭବନ ଉପରେ ଚଢାଉ କରିଥିଲା । ଚଢାଉ ସମୟରେ ବିପୁଳ ପରିମାଣରେ ବିସ୍ପୋରକ ସାମଗ୍ରୀ ଜବତ କରିଥିଲା । ପ୍ରକାଶ ଥାଉକି, ସଂପୃକ୍ତ ପଥର କ୍ୱାରୀରୁ ଲିଜ୍ ଅବଧି ଗତ ୩ମାସ ପୂର୍ବରୁ ଶେଷ ହୋଇଥିଲେ ମଧ୍ୟ ଗିରଫ ବ୍ୟକ୍ତି ଜଣକ କିପରି ଓ କାହା ଇଙ୍ଗିତରେ ବେଆଇନ ଭାବେ ପଥର ଫୁଟାଇ ଅଂଚଳରେ ଆତଙ୍କସୃଷ୍ଟି କରି ବ୍ୟବସାୟ ଚଳାଇ ଆସୁଥିଲେ, ତାହା ବିରାଟ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ହିଂଜିଳି ତହସିଲ ଅଂଚଳରେ ଏଭଳି ବହୁ ପଥର କ୍ୱାରୀରୁ ବେଆଇନ ଭାବେ ବିସ୍ପୋରକ ସାମଗ୍ରୀ ବ୍ୟବହାର କରି ପଥର ଉତୋଳନ କରାଯାଉଥିଲେ ମଧ୍ୟ ପ୍ରଶାସନ ନିରବ ସାଜୁଥିବା ଅଭିଯୋଗ ହୋଇଛି ।


