ଗଜପତିରେ ବିଜେଡିର ବିଶାଳ ମହିଳା ସମାବେଶ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) :ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀକୁ ଗଜପତି ଜିଲ୍ଲାରେ ୧୫ ଦିନ ବ୍ୟାପୀ ପାଳନ କରାଯାଉଥିବା ଅବସରରେ ମହିଳା ସମାବେଶ ଅନୁଷ୍ଠିତ ହୋଇଛି । ଗଜପତି ଜିଲ୍ଲା ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ନର୍ମଦା ଦଳାଇଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ପୁର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ, ବରିଷ୍ଠ ନେତ୍ରୀ ତଥା ପାରଳା ଯୁବରାଣୀ କଲ୍ୟାଣୀ ଦେବୀ, ବରିଷ୍ଠ ନେତା ଅନ୍ତର୍ଯ୍ୟାମି ଗମାଙ୍ଗ, ସୁର୍ଯ୍ୟନାରାୟଣ ରାଜଗୁରୁ ପ୍ରମୁଖ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଏଥିରେ ଯୋଗ ଦେଇ କହିଛନ୍ତି, ମହିଳାଙ୍କ ପ୍ରଗତି, ଉନ୍ନତି, ମହିଳାଙ୍କୁ ସମ୍ମାନ, ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ଉଚ୍ଚାସନ ଏବଂ ସଶକ୍ତିକରଣ ଆଦି ଓଡିଶାର ବରପୁତ୍ର ବିଜୁବାବୁଙ୍କ ସ୍ୱପ୍ନ ଅଟେ । ଏହାକୁ ସାକାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ କ୍ଷେତ୍ରରେ ମହିଳା ମାନଙ୍କୁ ଅଗ୍ରାଧିକାର ଦେଇ ଆସୁଛନ୍ତି । ପଞ୍ଚାୟତ ସ୍ତରରୁ ରାଜ୍ୟସଭା ପର୍ଯ୍ୟନ୍ତ ପ୍ରତ୍ୟେକରେ ମହିଳାମାନଙ୍କ ପ୍ରତିନିଧିତ୍ୱକୁ ବେଶ ଗୁରୁତ୍ୱ ଦିଆଯାଇ ମହିଳାଙ୍କୁ ଅଧିକ ଆସନ ଦିଆଯାଇଛି । ସମାଜରେ ମହିଳାର ସମ୍ମାନ, ଉନ୍ନତି, ପ୍ରଗତି ଏବଂ ସଶକ୍ତିକରଣ ନେଇ ନବୀନ ସରକାର ବହୁ ଯୋଜନା କାର୍ଯ୍ୟ କରି ମହଳାଙ୍କୁ ଉନ୍ନତି କରି ଚାଲିଛନ୍ତି । ପ୍ରତ୍ୟେକ ମହିଳା ବିଜୁବାବୁଙ୍କ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ନିଜକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ଦେଶର ଉନ୍ନତି କରନ୍ତୁ ବୋଲି ଏହି ନେତାମାନେ ସମାବେଶରେ ଆହ୍ୱାନ ଦେଇଥିଲେ ।


