କରୋନା ତାରାତାରିଣୀ ଯାତ୍ରାରେ ଭକ୍ତଙ୍କ ସମାଗମକୁ ହ୍ରାସ ନିମନ୍ତେ ଜରୁରୀ ବୈଠକ

ଛତ୍ରପୁର : କରୋନାକୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ଆପ ଘୋଷଣା କରିବା ସହ ଏହି ସଂକ୍ରମଣ ସୁରକ୍ଷିତ ପାଇଁ ଜିଲ୍ଲା ପ୍ରଶାସନର ତତ୍ପରତା ଦେଖାଦେଇଛି । ଜିଲ୍ଲାବାସୀଙ୍କୁ ସୁରକ୍ଷା ଦୃଷ୍ଟିରୁ ସମସ୍ତ କ୍ଷେତ୍ରରେ ଲୋକମାନଙ୍କୁ ବ୍ୟାପକ ସଚେତନତା ନିମନ୍ତେ ପ୍ରଶାସନର ପ୍ରୟାସ ଜାରି ରହିଛି । ଏପରିକି ପ୍ରସିଦ୍ଧ ମା’ତାରାତାରିଣୀଙ୍କ ଚୈତ୍ର ଯାତ୍ରାରେ ଭକ୍ତଙ୍କ ସମାଗମକୁ ଯେତେ ପାରିବା ସେତେ ସଂଖ୍ୟାରେ ହ୍ରାସ୍ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହି ପ୍ରସଙ୍ଗରେ ରବିବାର ଜିଲ୍ଲାର ସମସ୍ତ ବିଧାୟକ, ମା’ଙ୍କ ମନ୍ଦିରର ସମସ୍ତ ସେବାୟତ, ରାଇପୁର ସରପଞ୍ଚ, ପୁରୁଷୋତ୍ତମପୁର ବିଡିଓ, ତହସିଲଦାର ଏବଂ ଗଞ୍ଜାମ ଏସ୍‌ପିଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକର ଆୟୋଜନ କରାଯାଇଛି । ମା’ଙ୍କ ପାରମ୍ପରିକ ଚୈତ୍ର ଯାତ୍ରାକୁ ବନ୍ଦ କରାଯିବ ନାହିଁ । ଯାତ୍ରା ପାଇଁ ଯେପରି ସାଜ୍ୟସଜ୍ଜା ରହିବ । ଚୈତ୍ର ଯାତ୍ରାର ଦ୍ୱିତୀୟ ପାଳିରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଅନ୍ତି । ଏଣୁ ଭକ୍ତଙ୍କ ସଂଖ୍ୟା କିପରି କମ୍ କରାଯାଇ ପାରିବ ସେଥିପ୍ରତି ଲୋକ ପ୍ରତିନିଧି, ପୁଲିସ, ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କ ଜରିଆରେ ସଚେତନତା କରାଯିବ । ମନ୍ଦିରର ତଳ ଓ ଉପରରେ ଦୁଇଟି ଲେଖାଁଏ ହାତ ଧୋଇବା ନିମନ୍ତେ କେନ୍ଦ୍ରର ଆୟୋଜନ କରାଯିବ । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ୧୦ ବର୍ଷ ବୟସରୁ କମ୍ ଶିଶୁ, ବୃଦ୍ଧବୃଦ୍ଧା ଏବଂ ରୋଗୀମାନଙ୍କୁ ମା’ଙ୍କ ଯାତ୍ରା ସ୍ଥଳକୁ ନ ଆସିବା ନିମନ୍ତେ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ମା’ଙ୍କ ଯାତ୍ରାରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ନ ରହି ପରିବାରର ଜଣେ ଆସି ମା’ଙ୍କ ପୂଜା କରିଲେ ଉତ୍ତମ ରହିବ । ସେହିପରି ବାହାର ଜିଲ୍ଲା ତଥା ରାଜ୍ୟରୁ ଭକ୍ତମାନଙ୍କ ପାଇଁ ଯାତ୍ରାକୁ ଆସିବା ନିମନ୍ତେ ସଂପୂର୍ଣ୍ଣ ମନା । ଏହା ଉପରେ ସ୍ଥାନୀୟ ପୁଲିସ ଓ ଅଧିକାରୀ ଏବଂ ପଞ୍ଚାୟତ ପ୍ରତିନିଧିମାନେ ତୀକ୍ଷ୍‌ଣ ଦୃଷ୍ଟି ରଖିବାକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି । ସେହିପରି ଜିଲ୍ଲାରେ କୌଣସି ଛୋଟବଡ ଉତ୍ସବ ଓ ପର୍ବକୁ ଧୁମ୍‌ଧାମରେ ପାଳନ ନ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚ ମଧ୍ୟ ବନ୍ଦ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବିଭିନ୍ନ ମନ୍ଦିର ସମ୍ମୁଖରେ ଏଭଳି ସଚେତନତାର ବାର୍ତ୍ତା ଲାଗିବ । ଆଳତି ବେଳେ ଭିଡ ନ କରି ଏକ ମିଟର କିମ୍ବା ଦେଢମିଟର ଦୂରତ୍ୱ ରହି କାର୍ଯ୍ୟ କରିବାକୁ ହେବ । ଏହି ମହାମାରୀ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ମୁକାବିଲା କରିବାର ରହିଛି । ଏଭଳି ସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷିତ ଦୃଷ୍ଟିରୁ ସମସ୍ତ କ୍ଷେତ୍ରରେ ଜିଲ୍ଲାବାସୀଙ୍କ ସହଯୋଗ ନିହାତି ଆବଶ୍ୟକ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିସହ ଜିଲ୍ଲାର ସମସ୍ତ ହସ୍ପିଟାଲ ଗୁଡିକ ପ୍ରସ୍ତୁତି ରହିବାକୁ ହେବ । ଜିଲ୍ଲା ପାଇଁ ମଂଜୁରୀ ହୋଇଥିବା ନୂତନ ଡାକ୍ତର ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ହେବ । ଏମ୍‌ଏକେସିଜି ହ୍‌ସ୍ପିଟାଲ, ଛତ୍ରପୁର ଓ ଭଞ୍ଜନଗର ଏବଂ ଅନ୍ୟାନ୍ୟ ହସ୍ପିଟାଲ ଗୁଡିକ ପରିପାର୍ଶକୁ ପରିଷ୍କାର ପରିଚ୍ଛନ୍ନତା ଦିଗରେ ପୁର୍ତ୍ତ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟାମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶରତ କୁମାର ପାତ୍ର,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍‌.ଜଗଦୀଶ୍ ପଟ୍ଟନାୟକ, ଗଂଜାମ ଏମ୍‌ଭିଆଇ ଏସ୍‌.କେ.ପରିଡାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ