କରୋନା ଭୟ: ପୁରୀ ନଆସିବାକୁ ଅପିଲ କଲେ ଜିଲ୍ଲାପାଳ

ପୁରୀ: ଆଜି ପୁରୀ ପ୍ରଶାସନ ପକ୍ଷରୁ କରୋନା କାରଣରୁ କଟକଣା ଜାରି କରାଯାଇଛି। ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବସିଥିବା ଏକ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ଏପ୍ରିଲ ୧ତାରିଖ ଯାଏଁ ପୁରୀ ନ ଆସିବା ପାଇଁ ଅପିଲ କରାଯାଇଛି।
ଏହି ବୈଠକରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ନିର୍ଦ୍ଧିଷ୍ଠ ନିୟମ କରାଯାଇଛି। ଦର୍ଶନ ପାଇଁ ସେମାନଙ୍କୁ ଫର୍ମ ପୂରଣ କରିବାକୁ ପଡିବ। ଉକ୍ତ ଫର୍ମରେ ନିଜର ତଥ୍ୟ ପ୍ରଦାନ କରିବା ବାଧ୍ୟତାମୂଳକ। ଦର୍ଶନାର୍ଥୀ ଏହି ଫର୍ମକୁ ଶ୍ରୀମନ୍ଦିର ବାହାରେ ଥିବା ହେଲ୍ପ ଡେସ୍କରୁ ଗ୍ରହଣ କରିପାରିବେ। ପରିବାରର କୌଣସି ସଦସ୍ୟ ଯଦି ବିଦେଶରୁ ଆସିଥାନ୍ତି ତେବେ ଏହି ଫର୍ମରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଅରୁଣସ୍ତମ୍ଭ, ଗରୁଡସ୍ତମ୍ଭ, ଦେବାଦେବୀଙ୍କୁ ସ୍ପର୍ଶ ନକରିବା ସହ ସଙ୍କୀର୍ତ୍ତନ ମାଧ୍ୟମରେ ପୂଜାପାଠ କରିବା ବାରଣ କରାଯାଇଛି। ଭକ୍ତଙ୍କ ପାଇଁ ହ୍ୟାଣ୍ଡ ୱାସ ର ବ୍ୟବସ୍ଥା କରାଯିବ। ଭକ୍ତଙ୍କ ଦର୍ଶନ ସମୟରେ ଯେଉଁ ଧାଡିର ବ୍ୟବସ୍ଥା ରହିଛି, ସେହି ଧାଡିରେ ଭକ୍ତଙ୍କ ଭିତରେ ଦୁଇ ମିଟର ପର୍ଯ୍ୟନ୍ତ ଦୂରତା ରହିବା ନେଇ ଉକ୍ତ ବୈଠକରେ ନିଷ୍ପତି ନିଆଯାଇଛି। ଶ୍ରୀମନ୍ଦିରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ମାସ୍କ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ସେବାୟତଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ।
ସେହିପରି ପୁରୀ ସମୁଦ୍ରକୂଳ ବୁଲିବା କିମ୍ବା ଗାଧୋଇବା ଉପରେ କଟକଣା ଲଗାଯାଇଛି। ଏତଦବ୍ୟତୀତ ଆସନ୍ତାକାଲି କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ବନ୍ଦ ରଖିବା ନେଇ ଘୋଷଣା କରାଯାଇଛି। ସାରା ବିଶ୍ଵ ଏବେ କରୋନା କବଳରେ। ଏନେଇ ଡବ୍ଲୁ ଏଚ ଓ ତରଫରୁ ଏହାକୁ ବିଶ୍ଵ ମହାମାରୀ ରୂପେ ଘୋଷଣା କରିସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୧୦୭ ଜଣ କାରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଉଭୟ ଭାରତ ସରକାର ଏବଂ ଓଡିଶା ସରକାର ମଧ୍ୟ ଏନେଇ ବହୁ କଟକଣା ଲଗାଇବା ସହ କରୋନା ଭୂତାଣୁରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି। ସମସ୍ତ ସଭାସମିତି, ଧାର୍ମିକ କାର୍ଯ୍ଯକ୍ରମ, ରାଜନୈତିକ ରାଲି, ଶିକ୍ଷାନୁଷ୍ଠାନକୁ ବନ୍ଦ ପାଇଁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ