ଦୁର୍ଗାପୂଜା ପୂର୍ବରୁ କମିଶନରେଟ୍ ପୋଲିସର କଡ଼ା ଆକ୍ସନ୍: ୩୬୦ ୱାରେଣ୍ଟି ଗିରଫ
କଟକ,(ଓ୍ବାଇଏନଏସ): ଆଗାମୀ ଦୁର୍ଗାପୂଜାକୁ ଶାନ୍ତିପୂର୍ଣ୍ଣ, ଭୟମୁକ୍ତ ଓ ସୁରକ୍ଷିତ କରିବା ପାଇଁ କଟକ କମିଶନରେଟ୍ ପୋଲିସ ପକ୍ଷରୁ ଅପରାଧୀ ଓ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଜୋରଦାର ଅଭିଯାନ ଆରମ୍ଭ ହୋଇଛି। ବିଶେଷକରି ବେଆଇନ ଚାନ୍ଦା ଆଦାୟ, ଦାଦାବଟି ଓ ଅପରାଧୀଙ୍କ ଗତିବିଧି ଉପରେ ପୋଲିସ କଡ଼ା ନଜର ରଖିଛି। ଜୋରଜବରଦସ୍ତ ଚାନ୍ଦା ଆଦାୟ କିମ୍ବା ଦାଦାବଟି ଆଦାୟ କରିବାକୁ ଚେଷ୍ଟା କଲେ କୌଣସି ପରିସ୍ଥିତିରେ ଛାଡ଼ ଦିଆଯିବ ନାହିଁ ବୋଲି କଟକ ଡିସିପି ଋଷିକେଶ ଖିଲାରୀ ସ୍ପଷ୍ଟ କରିଛନ୍ତି। ଡିସିପିଙ୍କ ସୂଚନା ଅନୁଯାୟୀ, ଗତ ୧୫ ଦିନ ମଧ୍ୟରେ ଚାଲିଥିବା ମେଗା ଅଭିଯାନରେ ୩୬୦ ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇଛି। ଏହାସହ ୧୬୪ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ପୂଜା ସମୟରେ ସହରରେ ଅପରାଧ ରୋକିବା ସହ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବାକୁ ପୋଲିସର ସ୍ୱତନ୍ତ୍ର ଟିମ୍ଗୁଡ଼ିକ ସକ୍ରିୟ ରହିଛନ୍ତି। ବେଆଇନ ଚାନ୍ଦା ଆଦାୟକୁ ନେଇ ଏପର୍ଯ୍ୟନ୍ତ ୧୧ଟି ମାମଲା ରୁଜୁ ହୋଇଥିବା ଡିସିପି କହିଛନ୍ତି। କୌଣସି ବ୍ୟକ୍ତି କିମ୍ବା ପୂଜା କମିଟିର ନାଁରେ କେହି ଜୋରଜବରଦସ୍ତ ଚାନ୍ଦା ମାଗିଲେ ଭୟ ନକରି ପୋଲିସକୁ ଅଭିଯୋଗ କରିବାକୁ ସେ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଏଥିପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ନମ୍ବର ୮୨୮୦୩୩୮୩୦୩ ଜାରି କରାଯାଇଛି। ଦୁର୍ଗାପୂଜା ଓ ଭସାଣିକୁ ଦୃଷ୍ଟିରେ ରଖି ସହରର ସମ୍ବେଦନଶୀଳ ଅଞ୍ଚଳ ସମେତ ପ୍ରମୁଖ ଭସାଣି ମାର୍ଗଗୁଡ଼ିକୁ ସିସିଟିଭି ନଜରରେ ରଖାଯାଇଛି। ମଦ୍ୟପାନ କରି ଗାଡ଼ି ଚଳାଇବା ଏବଂ ବେଆଇନ ନିଶା କାରବାର ବିରୋଧରେ ମଧ୍ୟ ଚଢ଼ାଉ ଜୋରଦାର କରାଯାଇଛି। ଏହି ଅଭିଯାନରେ ଶତାଧିକ ମାମଲା ରୁଜୁ ହୋଇଛି। ସହରର ବିଭିନ୍ନ ଅନ୍ଧାରିଆ ଅଞ୍ଚଳରେ ଅପରାଧୀଙ୍କ ଆଡ଼ା ଓ ଅନ୍ୟାନ୍ୟ ସମସ୍ୟା ରୋକିବା ପାଇଁ କଟକ ମହାନଗର ନିଗମ ସହଯୋଗରେ ଜବରଦଖଲ ଉଚ୍ଛେଦ ମଧ୍ୟ କରାଯାଇଛି। ଆଗାମୀ ୧୦ ଦିନ ଧରି ଅପରାଧୀ ଓ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଡିସିପି କହିଛନ୍ତି। ଅପରାଧ କରିବା ପାଇଁ ଯୋଜନା କରୁଥିବା ବ୍ୟକ୍ତିମାନେ ସତର୍କ ହୋଇଯିବାକୁ ଡିସିପି ଚେତାବନୀ ଦେଇଛନ୍ତି। ଅପରାଧ ଘଟିବା ପୂର୍ବରୁ ଏହାକୁ ରୋକିବା ଉପରେ ପୋଲିସ ଗୁରୁତ୍ୱ ଦେଉଥିବା ବେଳେ ଅପରାଧୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଥିବା ଡିସିପି ଋଷିକେଶ ଖିଲାରୀ ସୂଚନା ଦେଇଛନ୍ତି।


