ଦୋକାନ ଭିତରକୁ ପଶିଗଲା ଯାତ୍ରୀବାହୀ ବସ, ଡ୍ରାଇଭରଙ୍କ ସମେତ ୨ ଆହତ

କଟକ, (ଓ୍ବାଇଏନଏସ): ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଏକ ଦୋକାନ ଘର ଭିତରକୁ ପଶିଗଲା ଯାତ୍ରୀବାହୀ ବସ। କଟକ ଜିଲ୍ଲା ନରସିଂହପୁର ଥାନା ଅଞ୍ଚଳର ଜିଲିଣ୍ଡା ନିକଟରେ ମଙ୍ଗଳବାର ଭୋର ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ବସ ଚାଳକଙ୍କ ସମେତ ଜଣେ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ‘ପ୍ରଧାନ’ ନାମକ ଏକ ଯାତ୍ରୀବାହୀ ବସ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଜିଲିଣ୍ଡା ନିକଟରେ ହଠାତ୍ ଚାଳକ ନିୟନ୍ତ୍ରଣ ହରାଇଥିଲେ। ବସଟି ରାସ୍ତାକଡ଼ରେ ଥିବା ଦୋକାନ ଘରକୁ ଧକ୍କା ଦେଇ ତା’ ଭିତରକୁ ପଶିଯାଇଥିଲା। ଦୁର୍ଘଟଣାରେ ଦୋକାନ ଘରଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡ୍ରାଇଭର ଓ ଜଣେ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସି ଆହତ ଦୁଇଜଣଙ୍କୁ ବସରୁ ବାହାର କରିଥିଲେ। ପରେ ଉଭୟଙ୍କୁ ନରସିଂହପୁର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଛି। ତେବେ ଦୁର୍ଘଟଣା ସମୟରେ ଦୋକାନରେ ଥିବା ଲୋକଙ୍କ ସମେତ ବସର ଅନ୍ୟ ଯାତ୍ରୀମାନେ ଅଳ୍ପକେ ବିପଦରୁ ବର୍ତ୍ତିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ