ହୋମ୍ କ୍ବାରେଣ୍ଟାଇନ୍ ହିଁ କୋରୋନାରୁ ବଞ୍ଚାଇବ
ଦେଶରେ କୋରୋନା ଭାଇରସକୁ ନେଇ ପ୍ରତ୍ୟେକ ବ୍ୟକ୍ତି ଡରରେ ରହିଛନ୍ତି। ଏପରିସ୍ଥଳେ ଡାକ୍ତର ଓ ସରକାର ପରାମର୍ଶ ଦେଉଛନ୍ତି ଯେ ଥଣ୍ଡା, କାଶ ଓ ଜ୍ବର ହେଲେ ନିଜକୁ ହୋମ୍ କ୍ବାରେଣ୍ଟାଇନ୍ କରନ୍ତୁ। କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏହା ବୁଝିବା ଟିକେ କଷ୍ଟକର ଯେ ହୋମ୍ କ୍ବାରେଣ୍ଟାଇନ୍ କ’ଣ। ଚାଲନ୍ତୁ ଜାଣିବା ହୋମ୍ କ୍ବାରେଣ୍ଟାଇନ୍ର ଅର୍ଥ ଓ ଉପାୟ।
ହୋମ୍ କ୍ବାରେଣ୍ଟାଇନ୍ର ଅର୍ଥ ହେଉଛି ନିଃସଙ୍ଗବାସ। ଅର୍ଥାତ୍ ଘରେ ନିଜକୁ ପରିବାର ଓ ଅନ୍ୟ ସମସ୍ତ ଲୋକଙ୍କଠାରୁ ଅଲଗା କରି ରଖିବା। ଯଦି ଆପଣଙ୍କ ସାଧାରଣ ଥଣ୍ଡା କାଶ ସମସ୍ୟା ହୁଏ, ତେବେ ଆପଣ ଅନ୍ୟ ପରିବାର ସଦସ୍ୟଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ। କୋରୋନା ଭାଇରସ ସଂକ୍ରମଣର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଭଲ ହେବ ଯଦି ଆପଣ କିଛି ମାତ୍ରାରେ ସତର୍କ ହୋଇଯିବେ। ଏହି ଅବସ୍ଥାରେ ନିଜକୁ ଏକ କୋଠରୀରେ ଅଲଗା ରଖନ୍ତୁ। ଏଠାକୁ କୌଣସି ବି ବ୍ୟକ୍ତିଙ୍କୁ ଆସିବାକୁ ଦିଅନ୍ତୁନି।
ହୋମ୍ କ୍ବାରେଣ୍ଟାଇନ୍ର ଉପାୟ : ଏକ ପବନ ଯିବା ଆସିବା କୋଠରୀରେ ରହନ୍ତୁ। ଯଦି କେହି କୋଠରୀକୁ ଆସୁଛନ୍ତି, ତେବେ ଅତିକମ୍ରେ ଦୁଇ ମିଟର ଦୂରତା ରଖନ୍ତୁ। ଗର୍ଭବତୀ ମହିଳା, ବୟସ୍କ ଓ ନବଜାତ ପିଲାଙ୍କୁ ଆଦୌ ଦେଖାହୁଅନ୍ତୁ ନାହିଁ। ହୋମ୍ କ୍ବାରେଣ୍ଟାଇନ୍ ସମୟରେ ସାର୍ବଜନୀନ ସ୍ଥାନକୁ ଯାଆନ୍ତୁ ନାହିଁ। ମନ୍ଦିର, ମଲ୍ କିମ୍ବା ମାର୍କେଟ୍ ଯାଆନ୍ତୁ ନାହିଁ। ଘରେ କୌଣସି ଜିନିଷ ଛୁଅନ୍ତୁନି। ହାତରେ ଗ୍ଲୋବ୍ସ ଓ ମୁହଁରେ ମାସ୍କ ପିନ୍ଧନ୍ତୁ। ଏଥିସହିତ ନିଜ ଥଣ୍ଡା କାଶ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ। ଯଦି ପରିସ୍ଥିତି ବିଗିଡ଼ିବା ଭଳି ମନେହୁଏ, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଅଧିକ ସ୍ବାସ୍ଥ୍ୟ ଖରାପ ହେଲେ ଡାକ୍ତରଖାନା ଯିବାକୁ ସଙ୍କୋଚ ଅନୁଭବ କରନ୍ତୁନି।


