ଗଜପତିରେ ଫସିଛନ୍ତି ନୟାଗଡର ୭ ଶ୍ରମିକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲାରେ ଲକଡାଉନ ଜାରୀ ହେବା ପରେ ନୟାଗଡ ଜିଲାର ୭ଜଣ ଶ୍ରମିକ ଫସିରହିଥିବା ଜଣାପଡିଛି । ଏମାନେ ସମସ୍ତେ ଏକ ଘରୋଇ ଠିକା ସଂସ୍ଥା ଦ୍ୱାରା ରାସ୍ତାନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । କରୋନାର ଭୟାଭହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲାରେ ଗତ ୨୫ତାରିଖ ମଧ୍ୟରାତ୍ରିରୁ ଲକଡାଉନ ଜାରୀ କରାଯାଇଥିଲା । ତେଣୁ ସମସ୍ତ ରାସ୍ତା ସିଲ କରାଯିବା ସହ ସମସ୍ତ ଗାଡି ମୋଟର ମଧ୍ୟ ଏହି ସମୟରେ ବନ୍ଦ ରହିଛି । ଏହି ୭ଜଣ ଶ୍ରମିକ ଲକଡାଉନ ଯୋଗୁଁ ନିଜ ଘରକୁ ଫେରିପାରୁ ନାହାନ୍ତି । ସେମାନେ ହେଲେ ନୟାଗଡ ଜିଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବେତଖଲି ଗ୍ରାମର ରମାକାନ୍ତ ପ୍ରଧାନ, ଟୁନା ସାହୁ, ସଞ୍ଜୟ ନାୟକ, ପ୍ରକାଶ ଚନ୍ଦ୍ର ସାହୁ, ସମୀର ସ୍ୱାଇଁ, ସନ୍ତୋଷ ପ୍ରଧାନ, ସୁମନ ସାହୁ ପ୍ରମୁଖ । ଏମାନେ ସମସ୍ତେ ଠିକାଦାର ବି.ମନୋଜ କୁମାରଙ୍କ ସହ ଯୋଗାଯୋଗ କରି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ନିୟୋଜିତ ବେଳେ ଏମାନଙ୍କର ସମସ୍ତ ଭଲମନ୍ଦ ଉକ୍ତ ଠିକାଦାରୀ ସଂସ୍ଥା ବୁଝିବେ ବୋଲି କୁହାଯାଇଥିଲା । ମାତ୍ର ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ଠିକା ସଂସ୍ଥା ଏମାନଙ୍କ କୌଣସି ସହଯୋଗ ମିଳୁନଥିବା ଅଭିଯୋଗ ହୋଇଛି । ଗତ କିଛି ଦିନ ହେବ ଏମାନଙ୍କର କାମ ବନ୍ଦ ରହିଛି । ଏମାନେ ବର୍ତ୍ତମାନର ସ୍ଥିତିରେ ନିଜ ଘରକୁ ଯାଇ ନିଜ ପରିବାର ସହ ମିଶିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ଅନ୍ୟପକ୍ଷରେ ଉକ୍ତ ଠିକାଦାରଙ୍କ ସହ ଯୋଗାଯୋଗ କରିବାରୁ ଯୋଗା ଯୋଗ ସମ୍ଭବ ହୋଇନଥିଲା । ନିଜ ନିଜର ଘରେ ପହଞ୍ଚାଇବା ପାଇଁ ସରକାର ଓ ଗଜପତି ପ୍ରଶାସନ ଆବଶ୍ୟକ ସହେଯାଗ କରନ୍ତୁ ବୋଲି ଏହି ଶ୍ରମିକମାନେ ଅନୁରୋଧ କରିଛନ୍ତି ।


