ଉପକୂଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) ସଂପ୍ରତି ଆମ ରାଜ୍ୟ, ଦେଶ ତଥା ସାରା ଦୁନିଆ ବିଶ୍ୱ ତାପାୟନର ତତଲା କଢ଼େଇରେ ସନ୍ତୁଳି ହେଉଥିବାବେଳେ ଅବିଚାରିତ ଭାବେ ଜଙ୍ଗଲ ଧ୍ୱଂସ, କୃଷିଭିତ୍ତିକ-ନିଯୁକ୍ତି ସୁଯୋଗ ସୃଷ୍ଟିକାରୀ ପରିବେଶ ଅନୁକୂଳ ଶିଳପାୟନ ପରିବର୍ତ୍ତେ ବାୟୁ ପ୍ରଦୂଷଣ, କର୍ପୋରେଟ୍ ହାଉସ୍ ପ୍ରାୟୋଜିତ ଜଙ୍ଗଲକଟା- ମାଟିଝଡ଼ା, ଖଣିତଡ଼ା, ଧୂଳିଧୂଆଁ ଓ ବିଷାକ୍ତଗ୍ୟାସ ବିତରଣକାରୀ ବିକାଶ ନାଁରେ ପ୍ରକୃତି, ପରିବେଶ ଓ ଶୀତଳତାକୁ ଧ୍ୱଂସ କରୁଥିବା ବିନାଶମୁଖୀ ଶିଳ୍ପାୟନ ଫଳରେ ଆମର ପ୍ରାକୃତି ପର୍ଯ୍ୟାବରଣ, ଜୀବଜଗତ ତଥା ମଣିଷ ସମଗ୍ର ମଣିଷ ସମାଜ ପ୍ରତି ଘୋର ବିପଦ ଦେଖାଦେଇଛି । ଫଳତଃ ନାହିଁ ନଥିବା ଅସହ୍ୟ ଉତ୍ତାପ, ସୁପର ସାଇକ୍ଲୋନ୍, ତିତ୍ଲି, ହୁଡ଼୍ହୁଡ଼୍, ଫାଇଲିନ୍ ଓ ଫନୀ ଭଳି ସାମୁଦ୍ରିକ ଝଡ଼, ସୁନାମୀ ଓ ଏନ୍ଲିନୋ ଭଳି ମାରାତ୍ମକ ପ୍ରାକୃତିକ ବିପର୍ଯ୍ୟାୟ ସାଙ୍ଗକୁ ଅମାପ ଧନଜୀବନ କ୍ଷୟ ଓ ବୃକ୍ଷଲତା ଧରାଶାୟୀ ହେଉଅଛି । ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରମେରୁରେ ବରଫ, ହିମାଳୟରେ ଗ୍ଲିସେରିୟନ୍ ତରଳିଯାଉଛି । ଗ୍ରୀନ୍ହାଉସ୍ ଗ୍ୟାସ୍ ବୃଦ୍ଧି ଫଳରେ ଦିନକୁ ଦିନ ଅନେକ ଜୀବସତ୍ତା ପୃଥିବୀ ବକ୍ଷରୁ ଲୋପପାଇଯାଉଛି । ସୁତରାଂ ଏସବୁ ମଣିଷକୃତ ବିପର୍ଯ୍ୟୟରୁ ଆମର ପ୍ରକୃତି, ପରିବେଶ ଓ ଧରିତ୍ରୀକୁ ରକ୍ଷା କରିବାଲାଗି ଅଧିକ ବୃକ୍ଷରୋପଣ ସହ ବର୍ତ୍ତମାନ ବିରାଜମାନ କରୁଥିବା ଆମର ପାରିପାଶ୍ୱିର୍କ ପରିବେଶ, ଉପକୂଳ ଘନ ସମୁଜିମା, ଜୈବ ବିବିଧତା ଓ ବିଶେଷକରି ବାଲିଆପାଳର ଚୌମୁଖ, ଡଗରା, ବେତଗଡ଼ିଆ, ଅଳାଡିହା ଓ ନୂଆଁଗାଁ ସମେତ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସୁବର୍ଣ୍ଣରେଖା ମୁହାଣରୁ ହଁସକରା ମୁହାଣ ଯାଏଁ ଦୀର୍ଘ ୧୫-୨୦ କି.ମି. ଲମ୍ବ ଏବଂ ୫-୭ କି.ମି. ବ୍ୟାପୀ ବିସ୍ତୀର୍ଣ୍ଣ ଝାଉଁଜଙ୍ଗଲ, ଗ୍ରାମ୍ୟଜଙ୍ଗଲ, କାଜୁ ଜଙ୍ଗଲ ଓ ଲୋକଙ୍କ ଦ୍ୱାରା ସୃଷ୍ଟ ଲକ୍ଷଲକ୍ଷ ସଂଖ୍ୟାର ଗଛ, ବୃଚ୍ଛ, ଲତାଗୁଳ୍ମ ପରିବେଷ୍ଟିତ ଜନବସତି, ବାଲିଆଡ଼ିଆ ତଥା ଧାନ, ପାନ, ମୀନ, କାଜୁ, ଗୁଆ, ନଡ଼ିଆର ରତ୍ନଗର୍ଭା ସବୁଜିମା, ଶସ୍ୟଶ୍ୟାମଳା ଭୂଇଁକୁ ରକ୍ଷା କରିବାକୁ ପଡ଼ିବ । ସଂପ୍ରତି ଶାସକ ଶ୍ରେଣୀ ତଥା କର୍ପୋରେଟ୍ ହାଉସ୍ଙ୍କ ଅପରିଣାମଦର୍ଶୀ ଜନବିରୋଧୀ ନିଷ୍ପତ୍ତି ବିକାଶ ନାଁରେ ବୃହତ୍ତ ବନ୍ଦର ଓ ଶିଳ୍ପାୟନ ଯୋଜନା ଆମପାଇଁ ବିନାଶର କବରଖାନା ବୋଲି ଆଜି ସନ୍ଧ୍ୟାରେ ଚୌମୁଖ ଚଣ୍ଡୀପୀଠ ପ୍ରାଙ୍ଗଣରେ ଉପକୁଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଆୟୋଜିତ ବିଶ୍ୱ ପରିବେଶ ଦିବସ ପାଳନ ଓ ଜନସଂପର୍କ ସଭାରେ ଘୋର ଉଦ୍ବେଗ ପ୍ରକାଶ କରାଯାଇଛି । ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ବର୍ଷକୁ ୧୮ଲକ୍ଷ ଟଙ୍କାର ଅମ୍ଳଯାନ ଆମ ବାୟୁମଣ୍ଡଳକୁ ପ୍ରଦାନ କରିଥାଏ । ଆଜକୁ ୩୩ବର୍ଷ ତଳେ ‘ଘାଟୀ ହଟାଅ ମାଟି ବଞ୍ଚାଅ’ ଦାବିରେ ୧୯୮୬ ଜୁନ୍ ୪-୫ ବାଲିଆପାଳବାସୀଙ୍କ ଦୀର୍ଘ ୬୦କି.ମି. ବ୍ୟାପୀ ୩୦ହଜାର ଲୋକଙ୍କ ଐତିହାସିକ ପଦଯାତ୍ରା, ଜିଲ୍ଲାପାଳ ଅଫିସ୍ ଘେରାଓ ଆନ୍ଦୋଳନର ସ୍ମୃତିଚାରଣ କରାଯାଇ ଅତୀତରୁ ପ୍ରେରଣା ନେଇ ବର୍ତ୍ତମାନ ‘ବନ୍ଦର ହଟାଅ ଓ ଭିଟାମାଟି ବଞ୍ଚାଅ’ ଦାବିରେ ପୁଣି ଏକ ଦୁର୍ବାର ଜନଆନ୍ଦୋଳନ ଗଢ଼ିତୋଳିବାଲାଗି ଆଜିର ଜନସଂକଳ୍ପ ସଭାରେ ଆହ୍ୱାନ ଦିଆଯାଇଛି । ଉପକୂଳ ଭିଟାମାଟି ସୁରକ୍ଷା କମିଟିର ଉପସଭାପତି ଶିକ୍ଷାବିତ୍ ସୁବାସ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ବିଶିଷ୍ଟ ଶ୍ରମିକ ନେତା ଜୟନ୍ତ ଦାସ ଏବଂ ମୁଖ୍ୟବକ୍ତା ଭାବେ କୃଷକ ନେତା ଅରୁଣ ଜେନା ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ନେତା ଲକ୍ଷ୍ମୀକାନ୍ତ ଖଟୁଆ, ସାର୍ତ୍ତୁକ ମଣ୍ଡଳ, ବିଜୟ ବାଗ, ରମଣିକାନ୍ତ ମଣ୍ଡଳ, ଅନୁଜ ମହାପାତ୍ର, କୁଶଧ୍ୱଜ ଜେନା, ପୁରସ୍ତମ ସେଠୀ, ସୁମତୀ ପାତ୍ର, କାହ୍ନୁ ଚରଣ ବିଶ୍ୱାଳ, ଜୟନ୍ତୀ ଖଟୁଆ, ସରପଞ୍ଚ ନାରାୟଣ ଖଟୁଆ, ନୀଳକଣ୍ଠ ଜେନା, ରାଜେଶ ବିଶ୍ୱାଳ, କାର୍ତ୍ତିକ ସୋରେନ୍, ଉଦୟ ମୁର୍ମୁ, ପ୍ରଫୁଲ୍ଲ ମଣ୍ଡଳ, ନୃସିଂହ ବେହେରା, ଅନାମ ମୁର୍ମୁ ଓ ରାଜେଶ ବିଶ୍ୱାଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବିଶ୍ୱ ପରିବେଶ ଦିବସରେ ପ୍ରାକୃତିକ ଜୈବବିବିଧତାରେ ପୂର୍ଣ୍ଣ ଚୌମୁଖଠାରୁ ହଁସକରା ବିସ୍ତୀର୍ଣ୍ଣ ଶସ୍ୟଶ୍ୟାମଳା ଓ ଘନ ଜନବସତି ଅଞ୍ଚଳର ସୁରକ୍ଷା ଲାଗି ଆଗାମୀ ଦିନରେ ଜନଆନ୍ଦୋଳନକୁ ଅଧିକ ସଶକ୍ତ ଓ ବ୍ୟାପକ କରିବାଲାଗି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସଭାରେ ବକ୍ତାମାନେ ‘ମରିବୁ ପଛେ ଜୀବନ ଦେବୁ କିନ୍ତୁ ବନ୍ଦର, ଶିଳ୍ପାୟନ ଭଳି ଅଣକୃଷି ପ୍ରକଳ୍ପ ପାଇଁ ଇଞ୍ଚେ ଜମି ଛାଡ଼ିବୁ ନାହିଁ ବୋଲି ଶପଥ ନେଇଥିଲେ ।’


