ରଥଖଳା ଚଳଚଞ୍ଚଳ ରଥଯାତ୍ରା ଆଉ ୨୬ ଦିନ
ରଥଚକ ନିର୍ମାଣ ଶେଷ ପର୍ଯ୍ୟାୟରେ
ପୁରୀ (ଜୁଗାବ୍ଦ ନ୍ୟୁଜ୍): ଆଉ ମାତ୍ର ୨୭ ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହେବ । ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀଜୀଉଙ୍କ ରଥ ନିର୍ମାଣ ଶୁଭାରମ୍ଭ ହୋଇଥିଲା ବେଳେ ଆସନ୍ତା ଶୀଳତଷଷ୍ଠୀରେ ତିନି ରଥର ଚକ ଡେରା ନୀତି ସମ୍ପନ୍ନ କରାଯିବ । ତେଣୁ ଶୀତଳଷଷ୍ଠୀ ପାଖେଇ ଆସୁଥିଲା ବେଳେ ଚକ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ତିନି ରଥ ପାଇଁ ମୋଟ ୪୨ ଚକ ଆବଶ୍ୟକ ରହିଥିଲା ବେଳେ ଆଜି ୪୦ ଚକ ନିର୍ମାଣ ଶେଷ ହୋଇଥିବା ଜଣାପଡିଛି । ସେହିପରି ଚକ ନିର୍ମାଣ ପରେ ରୂପକାର ସେବାୟତମାନେ ତାଙ୍କ ତୁଳିରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିବାରେ ଲାଗିପଡିଛନ୍ତି । ସେହିପରି ଭୋଇ ସେବାୟତମାନେ ତିନି ରଥ ପାଇଁ ଆବଶ୍ୟକ ହେଉଥିବା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଆଣି ସେମାନଙ୍କ ନିକଟରେ ସୁବିଧାରେ ପହଞ୍ଚାଇଛନ୍ତି । ପରେ ତାକୁ ମହାରଣା ସେବାୟତମାନେ ମାପ ଅନୁସାରେ କାଠକୁ ଚିରଟ କରି ରଥ ନିର୍ମାଣ କରିବାରେ ଲାଗିଛନ୍ତି । ଅନ୍ୟପକ୍ଷରେ ଟାଣ ଖରା ହେଉଥିବା ସମୟରେ କାଳେ ନିର୍ମାଣ ହୋଇଥିବା ଚକ ଫାଟିଯିବ ତେଣୁ ତାହାକୁ ଛାଞ୍ଚ ମାଧ୍ୟମରେ ଘୋଡାଇ ରଖିଛନ୍ତି । ଶ୍ରୀଜୀଉଙ୍କରଥନିର୍ମାଣ କାର୍ଯ୍ୟ ଦେଖିବା ପାଇଁ ରଥଖଳାରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି ।


