ଯେଉଁ ଦେଶରେ କରୋନା ନେଇଛି ମାତ୍ର ଗୋଟିଏ ଜୀବନ
ନୂଆଦିଲ୍ଲୀ : ବିଶ୍ବର ୨୧୦ଟି ଦେଶରେ କରୋନା ତା’ର କରାଳ ରୂପ ଜାରି ରଖିଛି । ବିଶ୍ବରେ କରୋନା ଯୋଗୁଁ ୧,୦୯,୬୬୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭,୯୧,୦୨୪ ଜଣ ସଂକ୍ରମିତ ହୋଇଛନ୍ତି । ବିଶ୍ବର ବହୁ ପ୍ରଭାବଶାଳୀ ରାଷ୍ଟ୍ର ଏବେ କରୋନା ମାଡରେ ଧରାଶାୟୀ । ସମସ୍ତେ କରୋନା କବଳରୁ ବର୍ତ୍ତିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି । ସେହିପରି କିଛି ଦେଶ କରୋନା ଉପରେ ନିୟନ୍ତ୍ରଣ ଆଣି ପାରିଛନ୍ତି । ଶକ୍ତ ନିୟମ ପାଳନ କରି ଏମାନେ କରୋନା ଉପରେ ନିୟନ୍ତ୍ରଣ ଆଣିଛନ୍ତି । ବିଶ୍ବର ଏକ ଛୋଟ ଇସଲାମିକ୍ ଦେଶ ଭାବେ ଏହି ରାଷ୍ଟ୍ରରେ କରୋନା ଯୋଗୁଁ ମାତ୍ର ଜଣକଙ୍କର ମୃତ୍ୟୁ ହୋଇଛି । ଦେଶଟି ହେଉଛି ବ୍ରୁନେଇ । ତେବେ ଆସନ୍ତୁ ଜାଣିବ ଏହି ରାଷ୍ଟ୍ର କରୋନା ଉପରେ କେମିତି ନିୟନ୍ତ୍ରଣ ଆଣି ପାରିଲା ।
ଦକ୍ଷିଣ ପୂର୍ବ ଏସିଆର ଏକ ଛୋଟ ଇସ୍ଲାସିକ ଦେଶ ଭାବେ ବ୍ରୁନେଇ ଜଣାଶୁଣା । ଏଠାରେ କରୋନା ଯୋଗୁଁ ୧୩୬ ଜଣ ସଂକ୍ରମିତ ହୋଇଛନ୍ତି । ସେଥିରୁ ୧୦୪ ଜଣ ସୁସ୍ଥ ହୋଇଯାଇଥିବାବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ବ୍ରୁନେଇରେ ଏବେ ରାଜା ଶାସନ ଚାଲିଛି । ନର୍ଥ କୋରିଆ ପରି ଏହି ଛୋଟ ରାଷ୍ଟ୍ରଟି କଡା ନିୟମ ପାଳନ ପୂର୍ବକ କରୋନାକୁ ନିଜ ନିୟନ୍ତ୍ରଣରେ ରଖିପାରିଛି । ବ୍ରୁନେଇର ସୁଲତାନ ହେଉଛନ୍ତି ହସନଲାଲ୍ ବୋଲ୍କିଆ । ଏଠାରେ ସୁଲତାନୀ ଶାସନ ଚାଲିଥାଏ । ବ୍ରୁନେଇରେ ପ୍ରଥମେ ମାଲେସିଆରୁ ଫେରିଥିବା ଜଣେ ତୀର୍ଥଯାତ୍ରୀଙ୍କ ନିକଟରେ ପ୍ରଥମ କରୋନା ଭାଇରସ୍ର ଚିହ୍ନଟ କରାଯାଇଥିଲା । ଏହାପରେ ସୁଲତାନ କଡା ନିୟମ ଲାଗୁକରିଥିଲେ । ୨୪ ମାର୍ଚ୍ଚରେ ବ୍ରୁନେଇ ଦେଶରୁ ବାହାର ଓ ଦେଶ ବାହାରୁ ଦେଶ ଭିତରକୁ ଯିବା ଆସିବାରେ ପ୍ରତିବନ୍ଧକ ଲଗାଇଥିଲେ । ଯେଉଁମାନେ ଦେଶ ବାହାରୁ ଫେରିଥିଲେ ସେମାନଙ୍କୁ ୧୪ ଦିନିଆ କ୍ବାରେଣ୍ଟାଇନ୍ରେ ରଖିଥିଲେ । ବାହାଘର, ସାମୂହିକ ଖେଳ, ଏପରିକି ବୈଠକ ଆଦିକୁ ପୂରାପୂରି ନିଷିଦ୍ଧ କରାଯାଇଥିଲା । ସେହିପରି ମସି୍ଜିଦ୍କୁ ମଧ୍ୟ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତା’ ପରେ ଦେଶରେ କରୋନା ଭାଇରସ୍କୁ ୧୦ ଗୁଣା ପରୀକ୍ଷା କରାଇଥିଲେ । କରୋନା ଟେଷ୍ଟିଂ ବୃଦ୍ଧି କରିବା ପାଇଁ ଭିଗ୍ରୋଲୋଜି ଲାବୋରେଟାରୀର ପ୍ରସ୍ତୁତି କରିଥିଲେ । ସେହିପରି ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏପରି ଭାବରେ ଏହି ରାଷ୍ଟ୍ରଟି କରୋନାକୁ ନିୟନ୍ତ୍ରଣ କରିପାରିଛି । ବ୍ରୁନେଇର ସୁଲତାନ୍ ଦୁନିଆର ସର୍ବାଧିକ ସମୟ ପର୍ଯ୍ୟନ୍ତ ଶାସନ କରୁଥିବା ସୁଲତାନଙ୍କ ମଧ୍ୟରେ ଅନ୍ୟତମ । ଏଠାରେ ସଜ୍ଜା ବହୁତ ଶକ୍ତ ବା କଠୋର ହୋଇଥାଏ । ଏଠାରେ ଗେ-ସେକ୍ସ୍ କରିବା ଲୋକଙ୍କ ଉପରେ ପଥର ପକାଇ ମାରିବାର ସଜ୍ଜା ରହିଥିଲା । କିନ୍ତୁ ଆନ୍ତର୍ଜାତିକ ଚାପ ଯୋଗୁଁ ଏହି ନିୟମରେ ପରିବର୍ତ୍ତନ କରିବାକୁ ପଡ଼ିଥିଲା ।