ରେଲ୍ୱେ ବେଡ୍ରୋଲ୍ କର୍ମଚାରୀଙ୍କ ଗଣଧାରଣା
ପୁରୀ (ଜୁଗାବ୍ଦ ନ୍ୟୁଜ୍): ରେଲୱେ କଣ୍ଟାକ୍ଟରଙ୍କ ମାଧ୍ୟମରେ ନିଯୁକ୍ତ ଠିକା କର୍ମଚାରୀଙ୍କୁ ନିୟମିତ ଦରମା ନମଳିବା, ଇପିଏଫ୍ ନମିଳିବା ପ୍ରତିବାଦରେ ଠିକା କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ ସଭାପତି ଶ୍ରୀକାନ୍ତ ପରିଜା ସୂଚନା ଦେଇଛନ୍ତି ।
ସେ ହକିଛନ୍ତି ଯେ, ଦୀର୍ଘ ୪ ମାସ ହେଲା ଦରମା ମିଳିନାହିଁ କି ପୁରୁଣା କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉନାହିଁ ଏଥିସହ ବାତ୍ୟା ଫାନିରେ କର୍ମଚାରୀମାନଙ୍କର ଘରଦ୍ୱାର ଭାଙ୍ଗି ଯାଇଥିବାରୁ ସେମାନେ ଏବେ ଖୋଲାଆକାଶ ତଳେ ରହିଛନ୍ତି । ହେଲେ ସେମାନଙ୍କୁ ରିଲିଫ୍ ବା କୌଣସି ସହଯୋଗ କରିନାହାନ୍ତି କଣ୍ଟାକ୍ଟର । ଅନ୍ୟପକ୍ଷରେ ଶ୍ରମିକମାନେ କାର୍ଯ୍ୟ କରୁଥିଲେ ବି ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦରମା ଦେଉନାହାନ୍ତି । ଏନେଇ ତଳୁ ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । ତେଣୁ ବାଧ୍ୟ ହୋଇ ଗଣଧାରଣା ଦିଆଯାଇଛି । ଏପରିକି କଣ୍ଟାକ୍ଟର ସମେତ ରେଲୱେ ବିଭାଗ ବିରୁଦ୍ଧରେ ମଧ୍ୟ ପ୍ରତିବାଦ କରାଯିବ । ବେଡରୋଲ କର୍ମଚାରୀଙ୍କୁ ବାରମ୍ବାର କଣ୍ଟାକ୍ଟର ହଇରାଣ ହରକତ କରୁଛି । ଗତ ମାର୍ଚ୍ଚରେ ମଧ୍ୟ ବିରୋଧ କରିବାରୁ ସଙ୍ଗେ ସଙ୍ଗେ ସମସ୍ୟା ସମାଧାନ ହେବ ବୋଲି କହିଥିଲେ । ହେଲେ ଏହା ଭିତରେ ପୁଣି ଦୁଇମାସ ବିତିଯାଇଥିଲେ ବି ସେଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ ଦୀର୍ଘ ୪ ମାସ ହେଲା ଦରମା ନପାଇ ବେଡରୋଲ କର୍ମଚାରୀମାନେ ଭୋକ ଉପସାରେ ପରିବାର ରହିଥିଲା ବେଳେ ଠିକାଦାରର ଦେଖା ମିଳୁନାହିଁ । ତେଣୁ ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଗଣଧାରଣା ଚାଲୁ ରହିବ ବୋଲି ଶ୍ରୀ ପରିଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।


