ସ୍ୱଚ୍ଛ କୋଣାର୍କ ଗଠନ ଲାଗି ମହିଳା ଗୋଷ୍ଠୀଙ୍କୁ ତାଲିମ
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): କୋଣାର୍କକୁ ଅଳିଆ ଆବର୍ଜନାମୁକ୍ତ କରିବା ପାଇଁ ୪୦ରୁ ଊଦ୍ଧ୍ୱର୍ ମହିଳା ଗୋଷ୍ଠୀଙ୍କୁ ଏନ୍ଏସି ପକ୍ଷରୁ ତାଲିମ ଦିଆଯାଇ ପ୍ରତି ୱାର୍ଡରେ ବର୍ଜ୍ୟବସ୍ତୁ ବାହାରେ ନଫୋପାଡ଼ି ଡଷ୍ଟବିନ୍ରେ ପକାଇବା ଲାଗି କୁହାଯାଇଛି । ପ୍ରକାଶ ଯେ, କୋଣାର୍କରେ ଅଳିଆ ଆବର୍ଜନା ବିଭିନ୍ନ ସ୍ଥାନରେ ପଡ଼ୁଥିବା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ମିଳିତ ଉଦ୍ୟମରେ କୋଣାର୍କକୁ ଆବର୍ଜନାମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ପ୍ରଥମେ ଏହି ଅଞ୍ଚଳର ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ଏଥିରେ ସାମିଲ କରାଯାଇଛି । ସୋମବାର ପୂର୍ବାହ୍ନରେ ଜିଲ୍ଲା ସହରାଞ୍ଚଳ ପରିମଳ ବିଶେଷଜ୍ଞ ରାଜେନ୍ଦ୍ର କୁମାର ସାହୁ ଓ କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍. ଶ୍ରୀନିବାସ, ସହକାରୀ ଯନ୍ତ୍ରୀ ଶୁଭେନ୍ଦୁ କୁମାର ମିଶ୍ରଙ୍କ ଉପସ୍ଥିତିରେ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଛି । ତାଲିମ ନେଉଥିବା ଏହି ମହିଳାମାନେ ମହିଳାଙ୍କୁ ସଚେତନ କରିବା ଓ ପ୍ରତି ୱାର୍ଡରେ ଦୁଇଟି ଡଷ୍ଟବିନ୍ ରହିବା ନେଇ ସଚେତନ କରିବେ ବୋଲି କୁହାଯାଇଥିଲା ।