ଢ଼େଙ୍କା ପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନରେ ବ୍ୟାପକ ଥନିୟମିତତା ଅଭିଯୋଗ, ପ୍ରଶାସନିକ ଅଧିକାରୀଙ୍କ ସମୀକ୍ଷା

ହାଟଡ଼ିହି (ଓ୍ବାଇଏନ୍ଏସ୍) : ଢ଼େଙ୍କା ପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଅନେକ ହିତାଧିକାରୀଙ୍କ ମାସମାସର ଚାଉଳ ହରିଲୁଟ ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଅନେକ ହିତାଧିକାରୀ ପୁର୍ବରୁ ଚାଉଳ, କିରୋସିନି ପାଉଥିବାବେଳେ ଏବେ ଶହଶହ ଲୋକଙ୍କର ନାମ କଟିଯାଇଥିବାରୁ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପଞ୍ଚାୟତରେ ଏହିପରି ଘୋଟାଲା ବାରମ୍ବାର ଘଟୁଥିବାବେଳେ ପ୍ରଶାସନିକ ଅଧିକାରୀ ମାନେ କୌଣସି ପଦକ୍ଷେପ ନେଉ ନଥିବାରୁ ଏହି ପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନ ଏକପ୍ରକାର ପ୍ରହସନରେ ପରିଣତ ହୋଇଛି । ପୁର୍ବରୁ ଏହି ପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗରେ ଜଣେ ଯୋଗାଣ ଅଧିକାରୀ ଓ ଜଣେ ପିଇଓଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ବର୍ତ୍ତମାନର ଅଭିଯୋଗ ପରେ ଆଜି ଆନନ୍ଦପୁର ବିଧାୟକ, ବିଡିଓ ଓ ଯୋଗାଣ ଅଧିକାରୀଙ୍କ ଉପସ୍ଥିତିରେ ଏହାର ସମୀକ୍ଷା କରାଯାଇଛି । ଅଭିଯୋଗରୁ ଜଣାଯାଇଛି ଯେ କାଳିଆମ୍ବ ଗ୍ରାମର ରେଣ୍ଟା ହୋ ନାମକ ଜଣେ ହିତାଧିକାରୀ ୬ମାସ ହେଲା ଚାଉଳ ପାଇନଥିଲା । ଏନେଇ ସେ ଅନେକବାର ସରପଞ୍ଚ, ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଓ ବିଡିଓଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଏନେଇ ରେଣ୍ଟା ଆନନ୍ଦପୁର ବିଧାୟକଙ୍କ ନିକଟରେ ଅଭିଯୋଗ କରିବାପରେ ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ୬ମାସର ଚାଉଳ ଯୋଗାଇ ଦିଆଯାଇଥିଲା । ସେହିପରି କଣିଆରୀ ଗ୍ରାମର ସୁବର୍ଣ୍ଣ ନାୟକ ଫେବୃୟାରୀ ଓ ମାର୍ଚ୍ଚ ମାସର ଚାଉଳ ପାଇନଥିବାବେଳେ ଚଳିତମାସ ତୁମ ନାଁ ନାହିଁ ବୋଲି କହି ଫେରାଇ ଦିଆଯାଇଥିଲା । ସେହିପରି ସୁକୁମାରୀ ହେମ୍ରମ ଡିସେମ୍ବର ମାସଠାରୁ ଚାଉଳ କି ଗହମ ପାଇପାରି ନାହାନ୍ତି । କୁନି ନାହାକ, ଚିନି ସୋରେନ, ତୁଳସୀ ଗଇପଇ, ଅମ୍ବା ସୋରେନ, କଣ୍ଡୁ ନାହାକ, ସତ୍ୟଭାମା ଦେହୁରୀ, ସାବିତ୍ରୀ ସେନାପତିଙ୍କ ସମେତ ଶହଶହ ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । କେତେକଙ୍କୁ ଡିସେମ୍ବର ଜାନୁୟାରୀ ମାସର ଦିଆଯାଇଥିବାବେଳେ ଫେବୃୟାରୀ ମାର୍ଚ୍ଚ ଦିଆଯାଇ ନାହିଁ । ଆଉ କେତେକ ଡିସେମ୍ବର ଜାନୁୟାରୀ ମାସର ଦିଆଯାଇ ନଥିବାବେଳେ ଫେବୃୟାରୀ ଓ ମାର୍ଚ୍ଚ ମାସର ଦିଆଯାଇଛି । ଅନେକ ଗରିବ ପରିବାରଙ୍କ ରାସନକାର୍ଡ କଟି ଯାଇଥିବାରୁ ଶହଶହ ପରିବାର ଏବେ ଯୋଗାଣ ସାମଗ୍ରୀ ପାଇବାରୁ ବଞ୍ଚିତ ଅଛନ୍ତି । ଏହି ପଞ୍ଚାୟତରେ ୭୦ଭାଗ ଆଦିବାସୀ ଶ୍ରେଣୀର ହୋଇଥିବାବେଳେ ସେମାନେ ଏବେ ଲକଡାଉନ ସମୟରେ ସରକାରଙ୍କ ସହାୟତା ପାଇବାରୁ ବଞ୍ଚିତ ହୋଇଥିବାରୁ ପଞ୍ଚାୟତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏପରି ଅଭିଯୋଗ ପାଇବାପରେ ଆଜି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ହାଟଡିହି ବ୍ଲକର ବିଡିଓ ଜୟଦେବ ଦାସ, ଉପଖଣ୍ଡ ଯୋଗାଣ ଅଧିକାରୀ ବୁଦ୍ଧଦେବ ଜେନା, ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ, ସୋସୋ ଥାନା ଅଧିକାରୀ ପ୍ରମୁଖ ଢ଼େଙ୍କା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଅନେକ ବୁଢ଼ାବୁଢ଼ି ଚାଲି ପାରୁନଥିବାବେଳେ ସେମାନଙ୍କ ଆଧାର ଲିଙ୍କ ହୋଇ ନଥିବା କହି କାର୍ଡ କଟିଯାଇଥିବାରୁ କିପରି ଭୋକ ଉପାସରେ ରହିଛନ୍ତି ସେ ସମ୍ପର୍କରେ ବିଧାୟକ ଓ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ଲକଡାଉନ ଚାଲିଥିବାରୁ ଲକଡାଉନ ଉଠିବାପରେ ଏହି ପଞ୍ଚାୟତରେ ଯୋଗାଣ ସାମଗ୍ରୀ ବଣ୍ଟନ ଅନିୟମିତତାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ବର୍ତ୍ତମାନ କିପରି ଗରିବ ଅସହାୟ ଲୋକମାନେ ଚାଉଳ ପାଇବେ ସେନେଇ ବିଧାୟକ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ । ପିଇଓଙ୍କ ନାମରେ ଲାଇସେନସ ଥିବାରୁ ସେ ବଣ୍ଟନ ବ୍ୟବସ୍ଥା ବୁଝନ୍ତୁ ବୋଲି ଅନେକ ଲୋକ ଦାବି କରିଥିଲେ । ଅନ୍ୟଲୋକ ବୁଝୁଥିବାରୁ ଏପରି ଅସୁବିଧା ବାରମ୍ବାର ଉପୁଜୁଛି ବୋଲି ହିତାଧିକାରୀମାନେ ଅଭିଯୋଗ କରିଥିଲେ । ଏହି ସମୟରେ ବରିଷ୍ଠ ବିଜେଡି ନେତା ବିଜୟ ରାଉତ, ଚିନୁ ନାୟକ, ସରପଞ୍ଚ ନିମାଇଁ ସାମଲ, ପୁର୍ବତନ ଜିଲ୍ଲାପରିଷଦ ରବିନ୍ଦ୍ର କୁମାର ନାୟକ, ମନୋଜ ମହାନ୍ତି, ଭଗବାନ କର, ସିପୁନ କର, ଉଦୟ ପ୍ରଧାନ, କୃପାସିନ୍ଧୁ ସେଠୀ, ପ୍ରଭାତ ବିଶ୍ୱାଳ, କାଳିଆ ବିଶ୍ୱାଳ, ସୁଦର୍ଶନ ଜେନାଙ୍କ ସମେତ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ