ଭାରତୀୟ ନୌସେନାର ୨୬ ନାବିକ କୋଭିଡ-୧୯ ପଜିଟିଭ୍
ମୁମ୍ବାଇ: ଭାରତୀୟ ନୌସେନାର ୨୬ ନାବିକ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏହାକୁ ନେଇ ନୌସେନା କର୍ମଚାରୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ୪ଟି ଜଳ ଜାହାଜ ଓ ଫ୍ରାନ୍ସରର ଗୋଟିଏ ଜଳଜାହାଜର ନାବିକ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭାରତୀୟ ନୌସେନାର ୨୬ ନାବିକଙ୍କଠାରେ କୋରୋନା ଭୂତାଣୁ ଚିହ୍ନଟ ହୋଇଛି। ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଅନ୍ତର୍ଗତ ଆଇଏନଏସ ଅଙ୍ଗ୍ରେର ୨୪ ନାବିକ କୋରୋନା ଆକ୍ରାନ୍ତ ହେଲା ପରେ ସେମାନଙ୍କୁ ମୁମ୍ବାଇ ସ୍ଥିତ ଆଇଏନଏଚଏସ ଅଶ୍ବିନୀରେ ଭର୍ତ୍ତି ହୋଇଛନ୍ତି। ଏଥିସହ ଏହି ନାବିକମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ସେମାନଙ୍କୁ ଚିହ୍ନଟ କରିବା ପାଇଁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। କୋରୋନା ଚିହ୍ନଟ ହୋଇଥିବା ସମସ୍ତ ନାବିକ ଗୋଟିଏ ବ୍ୟାଚଲର ବାରାକରେ ରହୁଥିଲେ। ତେଣୁ ପଜିଟିଭ ଚିହ୍ନଟ ସେହି ବାରାକକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।
ଆଇଏନଏସ ଅଙ୍ଗ୍ରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ନାଭାଲ ଡକୟାର୍ଡ ମୁମ୍ବାଇ ଅନ୍ୟାନ୍ୟ ଯୁଦ୍ଧ ଜାହାଜ ସହ ଆଇଏନ୍ଏସ୍ ଅଙ୍ଗ୍ରେ ରହୁଥିବାରୁ ଏହା ଯେପରି ଅନ୍ୟ ଯୁଦ୍ଧ ଜାହାଜକୁ ନ ବ୍ୟାପେ, ତାହା ଉପରେ ନୌସେନା ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ପ୍ରଥମ ଥର ପାଇଁ ଏକସଙ୍ଗେ ଏତେ ସଂଖ୍ୟାକ ନାବିକ କୋରୋନା ପଜିଟିଭ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ପୂର୍ବରୁ ସ୍ଥଳସେନା ସହ କାର୍ଯ୍ୟ କରୁଥିବା ୨ ଜଣ ଡାକ୍ତରଙ୍କ ସହ ମୋଟ ୮ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଦେଶର ସୁରକ୍ଷା ଦାୟିତ୍ବରେ ଆମର ୧୫ ଲକ୍ଷ ସେନା କର୍ମଚାରୀ କାର୍ଯ୍ୟ କରୁଥିବାରୁ ସେମାନେ ଯେପରି କୋରୋନା ପ୍ରଭାବରୁ ମୁକ୍ତ ରହିପାରିବେ, ତାହା ସରକାରଙ୍କ ପାଇଁ ଅନେକ ଗୁରୁତ୍ବ ଆଣି ଦେଇଛି।


